ଭାରତରେ କରୋନା ଭାଇରସ୍‌, କେରଳରୁ ଚିହ୍ନଟ ହେଲେ ଆକ୍ରାନ୍ତ

ଥିରୁଭନନ୍ତପୁରମ: ଚୀନରେ ଜୀବନ ନେଉଥିବା କରୋନା ଭାଇରସ୍‌ ଏବେ ଭାରତରେ ପ୍ରବେଶ କରିଛି। କେରଳରେ ଜଣେ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି କରୋନା ଭାଇରସ୍‌ରେ କୌଣସି ଭାରତୀୟ ଆକ୍ରାନ୍ତ ହେବାନେଇ ଏହା ହେଉଛି ପ୍ରଥମ ଘଟଣା। ଏଯାଏ ଏହି ଭାଇରସ୍‌ ଯୋଗୁ ଚୀନରେ ୧୭୦ ଜଣଙ୍କ ଜୀବନ ଗଲାଣି।

ଆକ୍ରାନ୍ତ ହୋଇଥିବା ଛାତ୍ର ଜଣଙ୍କ ଚୀନର ଉହାନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ସେ କିଛି ଦିନ ତଳେ ଚୀନରୁ ନିଜ ଘର କେରଳକୁ ଆସିଥିଲେ। ଏହି ଉହାନରେ ହିଁ କରୋନା ଭାଇରସ ପ୍ରଥମେ ସୃଷ୍ଟି ହୋଇଥିଲା।

ଚୀନରୁ ଫେରିବା ପରେ ସମ୍ପୃକ୍ତ ଛାତ୍ର ଜଣଙ୍କୁ ଏକ ହସ୍ପିଟାଲରେ ରଖାଯାଇ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଥିଲା। ଏହି ସମୟରେ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତାଙ୍କୁ ଏବେ ହସ୍ପିଟାଲ୍‌ର  ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି ଏବଂ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଡିସେମ୍ବର ମାସରୁ ଚୀନର ଉହାନ ପ୍ରଦେଶରେ ଏହି ଭୟଙ୍କର କରୋନା ଭାଇରସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଧୀରେଧୀରେ ଏହା ଚୀନର ବିଭିନ୍ନ ପ୍ରାନ୍ତ ସମେତ ଏକାଧିକ ଦେଶକୁ ବ୍ୟାପିବା ଆରମ୍ଭ କରିଛି।

You might also like