କୋଝିିକୋଡ଼ରେ ବିମାନ ଦୁର୍ଘଟଣା; ପୂର୍ବରୁ ଚେତାବନୀ ଦେଇଥିଲା DGCA

ଥିରୁଅନନ୍ତପୁରମ୍‌: କେରଳ କୋଝିିକୋଡ଼ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି AAIB, DGCA ଓ ବିମାନ ନିରାପତ୍ତା ଟିମ୍ । ଏହା ସହ ଘଟଣାସ୍ଥଳରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ମଧ୍ୟ ପହଞ୍ଚିଛନ୍ତି ।

ଦୁର୍ଘଟଣାରେ ଆହତ ୧୨୭ ଜଣଙ୍କ ମେଡିକାଲରେ ବର୍ତ୍ତମାନ ଚିକିତ୍ସା ଚାଲିଛି । ଦୁର୍ଘଟଣା ପ୍ରସଙ୍ଗରେ ସୂଚନା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, କୋଝିିକୋଡ଼ ଏୟାରପୋର୍ଟରେ କ୍ରାସ୍ ଲ୍ୟାଣ୍ଡିଂରୁ ହିଁ ବିମାନ ଦୁଇ ଖଣ୍ଡ ହୋଇଗଲା । ବିମାନଟି ବନ୍ଦେ ଭାରତ ମିଶନରେ ଦୁବାଇରୁ କୋଝିକୋଡ଼ ଆସୁଥିଲା ।

ସୂଚନାଥାଉ କି, DGCA ଗତବର୍ଷ ଜୁଲାଇ ୧୧ ତାରିଖ ଏୟାରପୋର୍ଟର ସୁରକ୍ଷା ନେଇ ଡାଇରେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଗତବର୍ଷ ଜୁଲାଇ ୨ ତାରିଖ ସାଉଦୀ ଆରବରୁ କୋଝିକୋଡ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ଼୍ରେସ ବିମାନର ଟେଲ ଷ୍ଟ୍ରାଇକ୍‌କୁ ପରେ   DGCA  ନିରୀକ୍ଷଣ କରିଥିଲା। ଏଥିସହିତ ରନ୍‌ୱେରେ ଫାଟ, ପାଣି ଜମୁଥିବା ତଥା ଅଧିକ ରବର ଜମା ରହିବା ନେଇ ମଧ୍ୟ ଚେତାବନୀ ଦେଇଥିଲେ।

ଆଉ କିଛି ସମୟ ମଧ୍ୟରେ ରିଲିଫ୍ କାର୍ଯ୍ୟ ପାଇଁ କେରଳରେ ପହଞ୍ଚିବ ଦିଲ୍ଲୀ ଓ ମୁମ୍ବାଇରୁ ବାହାରିଥିବା ୨ଟି ସ୍ୱତନ୍ତ୍ର ବିମାନ।  ସମସ୍ତ ଯାତ୍ରୀ ଓ ପରିବାରବର୍ଗଙ୍କୁ ସହାୟତା ଯୋଗାଇବାକୁ ଏହି ବିମାନ ସେଠାରେ ପହଞ୍ଚିବ।  ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ୍ ହେଉଛନ୍ତି ୱିଙ୍ଗ୍ କମାଣ୍ଡର ଦୀପକ ବସନ୍ତ ସାଥେ ଓ କ୍ୟାପଟେନ୍ ଅଖିଲେଶ କୁମାର।

ୱିଙ୍ଗ କମାଣ୍ଡର ଦିପକ ଭାରତୀୟ ବାୟୁ ସେନାରୁ ଅବସର ନେବା ପରେ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ। ବୋଇଂ ୭୩୭ ବିମାନକୁ ଦକ୍ଷତାର ସହ ଉଡ଼ାଇବା ଏବଂ ଜଣେ ଅଭିଜ୍ଞ ପାଇଲଟ୍ ଭାବେ ଜଣାଶୁଣା ଚେହେରା ହେଉଛନ୍ତି ୱିଙ୍ଗ କମାଣ୍ଡର ଦୀପକ।

ସୂଚନାଥାଉ କି, ଗତକାଲି ଏୟାର ଇଣ୍ଡିଆର IX-1344 ବିମାନ ଦୁବାଇରୁ ବନ୍ଦେ ଭାରତ ମିଶନରେ ୧୮୪ ଜଣ ଯାତ୍ରୀଙ୍କୁ ଧରି କୋଝିକୋଡକୁ ଆସୁଥିଲା। କୋଝିିକୋଡ଼ଠାରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।

You might also like