ମିଳିଲାନି ମଦ, ନେଲେ ଏମିତି ଚରମ ନିଷ୍ପତ୍ତି
ଥ୍ରୀସୁର: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହି କାରଣରୁ ଅଧିକାଂଶ ରାଜ୍ୟରେ ମଦ ଦୋକାନକୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ମଦ ଦୋକାନ ଆଗରେ ଲୋକଙ୍କ ଭିଡ଼ ଜମୁ ଥିବାରୁ କରୋନା ସଂକ୍ରମିତ ହେବାର ଆଶଙ୍କା ରହୁଛି। ଏହି କାରଣରୁ ମଦ ଦୋକାନ ଗୁଡ଼ିକୁ ବନ୍ଦ ରହିଛି। ଏହି କ୍ରମରେ କେରଳରେ ମଧ୍ୟ କିଛି ମଦ ଦୋକାନ ବନ୍ଦ ରହିଛି।
ହେଲେ ମଦ ଦୋକାନ ବନ୍ଦ ହେବାରୁ ଏଠାରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳୁ କେଚେରୀ ନିକଟର ଥୁଭାନୋର ଠାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହି ବ୍ୟକ୍ତି ଜଣଙ୍କ ପ୍ରତିଦିନ ମଦ ପିଅନ୍ତି ବୋଲି ସୂଚନା ମିଳିଛି। ହେଲେ କରୋନା ପାଇଁ ଲକଡାଉନ ଲାଗୁ ହେବାରୁ ମଦ ଦୋକାନ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ଉକ୍ତ ଵ୍ୟକ୍ତି ଜଣଙ୍କ ଚିନ୍ତାରେ ପଡ଼ିଯାଇଥିଲେ। ମଦ ନ ମିଳିବାରୁ ସେ କିଛି ଦିନ ହେଲା ଏହାକୁ ପିଇବାକୁ ପାଇ ନ ଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ୍ ଜାଣିବାକୁ ପାଇଛି।
ଅନ୍ୟପକ୍ଷରେ କୁଲଙ୍ଗରଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଲକଡାଉନ ପରଠାରୁ ସେ ଭାରି ଚିନ୍ତାରେ ରହୁଥିଲେ। ତାଙ୍କ ବାପା ଓ ମା’ ଉଭୟ ରୋଗରେ ପଡ଼ିଛନ୍ତି। ଏହି ଦୁଃଖକୁ ଦୂର କରିବା ପାଇଁ ସେ ସର୍ବଦା ମଦ ପିଉଥିଲେ। ହେଲେ ମଦ ଦୋକାନ ବନ୍ଦ ହୋଇଯିବାରୁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ।