କେରଳରେ ଆଜି ଠାରୁ ସମ୍ପୂର୍ଣ୍ଣ ଲକଡାଉନ୍‌

ବାହାରୁ ଆସିଲେ ନିଜ ଖର୍ଚ୍ଚରେ କ୍ୱାରେଣ୍ଟିନରେ ରହିବେ ଲୋକେ

ତ୍ରିଭେନ୍ଦ୍ରମ୍ : କେରଳରେ ଲାଗୁ ହେଲା ୮ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ । ମହାମାରୀ କରୋନାର ଦ୍ୱିତୀୟ ଲହରରେ ଅନ୍ୟତମ ପ୍ରଭାବିତ ରାଜ୍ୟ ତାଲିକାରେ ରହିଛି କେରଳ । ଆଉ ଏଥିପାଇଁ ଏଥିରେ ବ୍ରେକ୍ ଲଗାଇବା ପାଇଁ ବିଜୟନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଲହରରେ ମଧ୍ୟ କେରଳରେ ସ୍ଥିତି ବିଗିଡ଼ିଥିଲା । ବର୍ତ୍ତମାନ ମାରାତ୍ମକ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଆଜିଠୁ ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ କଡ଼ାକଡି ଭାବେ ଲାଗୁ ହେବ ଲକଡାଉନ୍ କଟକଣା ।

ଲକଡାଉନ୍ ସମୟରେ ଯେମିତି ଅମାନିଆଙ୍କ ଗତିବିଧି ନବଢ଼େ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାର ତଦାରଖ ଲାଗି ରାଜ୍ୟରେ ୨୫ ହଜାର ପୋଲିସ କର୍ମୀ ମୁତୟନ ହୋଇଛନ୍ତି । କେବଳ ଏତିକି ନୁହେଁ ସରକାରୀ ଗାଇଡ ଲାଇନ୍ ଅନୁସାରେ ସୋସିଆଲ ମିଡିଆରେ କୋଭିଡକୁ ନେଇ ମିଛ ପ୍ରଚାର କଲେ କଠୋର ଦଣ୍ଡବ୍ୟବସ୍ଥା କରିଛନ୍ତି ସରକାର । ଲକଡାଉନ୍ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର ମାଗଣା ରାସନ ଉପଲବ୍ଧ କରାଇବେ । ବାହାରୁ ଆସିଲେ ନିଜ ଖର୍ଚ୍ଚରେ କ୍ୱାରେଣ୍ଟିନରେ ରହିବେ ଲୋକେ । ତେବେ ଲକଡାଉନ୍ରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି ।

ସେପଟେ କରୋନାକୁ ମାତ୍ ଦେବାକୁ ଦୈନିକ ମୃତ୍ୟୁ ଓ ପଜିଟିଭ୍ ହାରରେ ବ୍ରେକ ଲଗାଇବା ପାଇଁ ଦୁଇ ସପ୍ତାହର ଲକଡାଉନ୍ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଆସନ୍ତା ୧୦ ତାରିଖରୁ ମେ ୨୪ ତାରଖ ସକାଳ ୬ଟା ଯାଏ ଏହି କଟକଣା ଜାରି ରହିବ ଲକଡାଉନ୍ । କଟକଣାରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି ଆ ମାଲ୍ ପରିବହନକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି । ଗ୍ରୋସରୀ ଦୋକାନ ସକାଳ ୬ଟାରୁ ସଂଧ୍ୟା ୬ଟା ମଧ୍ୟ ଖୋଲା ରହିବ ବୋଲି ଲକଡାଉନ୍ ଗାଇଡଲାଇନରେ ଦର୍ଶାଯାଇଛି । ସେହିଭଳି ଏହି କଟକଣା ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଏବଂ କାର୍ଗୋ ଯାନବାହନର ଚଳାଚଳକୁ ସରକାର ଅନୁମତି ଦେଇଛନ୍ତି ।

ହୋଟେଲ, ପବ୍, ବାର୍, ଶିଳ୍ପାନୁଷ୍ଠାନ ଗୁ଼ଡ଼ିକ ଯଦି ଜରୁରୀ ସେବା ପ୍ରଦାନରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ନୁହନ୍ତି, ତେବେ ସେମାନେ ସଟର ବନ୍ଦ ରହିବେ ବୋଲି ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି । ବିମାନସେବା, ଟ୍ରେନ୍ ଚଳାଚଳକୁ ଅନୁମତି ରହିଥିଲେ ମଧ୍ୟ ମେଟ୍ରୋ ସେବାକୁ ଏଥିରୁ ବାଦ୍ ଦେଇଛନ୍ତି କର୍ଣ୍ଣାଟକ ସରକାର । ସ୍କୁଲ, କଲେଜ ବନ୍ଦ ରହିବାକୁ ଗାଇଡ ଲାଇନରେ କୁହାଯାଇଥିବା ବେଳେ ଅନଲାଇନ୍ ପାଠପଢ଼ାକୁ ସରକାର ଅନୁମତି ଦେଇଛନ୍ତି । ବର୍ତ୍ତମାନ ସମୟରେ ଯେଉଁ କେତେକ ରାଜ୍ୟରେ ଦୈନିକ ସର୍ବାଧିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ରେକର୍ଡ କରୁଛି ସେହି ତାଲିକାରେ କର୍ଣ୍ଣାଟକ ମଧ୍ୟ ରହିଛି । ବିଶେଷ କରି ବେଙ୍ଗଳୁରୁ ସହରରେ ବଢୁଥିବା ସଂକ୍ରମଣ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

You might also like