୨୦୦ ଟଙ୍କା ଫେରାଇବାକୁ କେନିଆରୁ ଭାରତ ଆସିଲେ ସାଂସଦ
ଔରଙ୍ଗାବାଦ: ୩୦ ବର୍ଷ ପରେ ଜଣେ କେନିଆ ନାଗରିକ ଭାରତର ଔରଙ୍ଗାବାଦ ଫେରିଛନ୍ତି। ଅଶୀ ଦଶକରେ ପାଠ ପଢ଼ିବାକୁ ଭାରତ ଆସିଥିବା ରିଚାର୍ଡ ଟୋଙ୍ଗୀ ନାମକ ଏହି ବ୍ୟକ୍ତି ବର୍ତ୍ତମାନ କେନିଆର ଜଣେ ସାଂସଦ। ସେ ଔରଙ୍ଗାବାଦ ଆସିବାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସେ ଏକ ତେଜରାତି ଦୋକାନରେ ୨୦୦ ଟଙ୍କା ବାକି ରଖିଥିଲେ। ଆଉ ଏହି ଟଙ୍କା ଫେରାଇବା ପାଇଁ ୩ ଦଶକ ପରେ ରିଚାର୍ଡ ଔରଙ୍ଗାବାଦ ଫେରିଛନ୍ତି।
ରିଚାର୍ଡ ଏତେ ଦିନର କଥା ମନେ ରଖିଥିବା ଏବଂ ମାତ୍ର ୨୦୦ ଟଙ୍କା ପାଇଁ କେନିଆରୁ ଭାରତ ଆସିଥିବା ଜାଣି କାଶୀନାଥ ଗାୱଲି ନାମକ ଉକ୍ତ ତେଜରାତି ଦୋକାନୀ ଭାବବିହ୍ୱଳ ହୋଇ ପଡ଼ିଛନ୍ତି। ଏପରିକି ଏସବୁକୁ ସେ ବିଶ୍ୱାସ କରିପାରିନଥିବା କହିଛନ୍ତି।
ସେହିଭଳି ରିଚାର୍ଡ ମଧ୍ୟ ଗାୱଲିଙ୍କୁ ଭେଟି ଲୁହ ଭାବବିହ୍ୱଳ ହୋଇପଡ଼ିଥିଲେ। ସେ କହିଛନ୍ତି, ‘ଔରଙ୍ଗାବାଦରେ ପାଠ ପଢ଼ୁଥିବା ସମୟରେ ମୋ ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା। ସେତେବେଳେ ଏହି ଲୋକମାନେ ମୋତେ କରିଥିବା ସାହାଯ୍ୟ ଭୁଲିହେବନି। ତେଣୁ ମୁଁ ଭାବିଲି ମୁଁ ଔରଙ୍ଗାବାଦ ଆସିବି ଏବଂ ବକେୟା ଟଙ୍କା ଫେରାଇବି। ଏହି ଲୋକ (ଗାୱଲି)ଙ୍କୁ ଏବଂ ତାଙ୍କ ପିଲାମାନଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ସବୁ ସମୟରେ ରହିଥାଉ। ସେମାନେ ମୋତେ କହୁଥିଲେ ହୋଟେଲ ନେଇ ଖୁଆଇବେ, କିନ୍ତୁ ମୁଁ ତାଙ୍କ ଘରେ ହିଁ ଖାଇବି ବୋଲି କହିଲି।’
ଏବେ ଗାୱଲି ଏବଂ ତାଙ୍କ ପରିବାର ଲୋକେ କେନିଆ ଯିବାକୁ ଏହି ସାଂସଦ ଜଣକ ନିମନ୍ତ୍ରଣ କରିଛନ୍ତି।