୧୫୦୦ଟଙ୍କା ପାଉଥିବା ପାଚିକା ହେଲେ କୋଟିପତି

ନୂଆଦିଲ୍ଲୀ: କୌନ୍‌ ବନେଗା କରୋଡପତି ସିଜନ୍‌ ୧୧ରେ ଦ୍ୱିତୀୟ କରୋଡପତି ହୋଇଛନ୍ତି ଜଣେ ପାଚିକା। ମହାରାଷ୍ଟ୍ରର ଅମରାବତୀରେ ରହୁଥିବା ଏହି ମହିଳାଙ୍କ ଜୀବନର ସଂଘର୍ଷମୟ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ କହିଲେ ଅତ୍ୟୁକ୍ତି ହେବନାହିଁ। ବବିତା ତାଡେ ଯିଏକି ଏକ ସରକାରୀ ସ୍କୁଲରେ ୪୫୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ରୋଷେଇ କରନ୍ତି। ଏଥିପାଇଁ ତାଙ୍କୁ ମାତ୍ର ଦେଢ଼ ହଜାର ଟଙ୍କା ମିଳେ। ହେଲେ ସେ ଏହି କାମକୁ ବହୁତ ଭଲ ପାଆନ୍ତି। ଏପରିକି ସ୍କୁଲ୍‌ର ପିଲାମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି।

ସେ ଜଣେ ପାଚିକା ହେଲେ ମଧ୍ୟ କେବିସିକୁ ଆସି ହଟ୍‌ ସିଟ୍‌ରେ ବସିବାରେ ସଫଳ ହୋଇପାରିଛନ୍ତି। ଖାଲି ସଫଳ ହୋଇନାହାନ୍ତି ବରଂ ୧ କୋଟି ଟଙ୍କା ମଧ୍ୟ ଜିତିଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ସବୁ ସେହି ପ୍ରଶ୍ନ ଥିଲା ଯାହାର ସଠିକ୍‌ ଉତ୍ତର ଦେଇ ବବିତା ଆଜି କୋଟିପତି ହୋଇଛନ୍ତି।

ପ୍ରଶ୍ନ- ମୋଗଲ ଶାସକ ବାହାଦୂର ଶାହ ଜଫରଙ୍କ ଦରବାରର କେଉଁ  କବି ‘ଦାସ୍ତନ ଏ ଗଦର’ ଲେଖିଥିଲେ। ଏଥିରେ ସେ ୧୮୫୭ ସିପାହୀ ବିଦ୍ରୋହ ସମୟର ନିଜ ଅନୁଭୂତିକୁ ବର୍ଣ୍ଣନା କରିଥିଲେ।

ଏହି ପ୍ରଶ୍ନର ଉତ୍ତରକୁ ନେଇ ବବିତା ଟିକେ ଦ୍ୱନ୍ଦ୍ୱରେ ଥିଲେ। ଫଳରେ ସେ ଫାଇନାଲ୍ ଲାଇଫ୍‌ ଲାଇନ୍‌ ଓ ଏକ୍ସପର୍ଟଙ୍କ ସାହାଯ୍ୟ ଲୋଡ଼ିଥିଲେ। ଆଉ ଏଥିରେ ସେ ବିଜୟୀ ହୋଇଥିଲେ।

ବବିତାଙ୍କ ପାଇଁ ଶେଷ ପ୍ରଶ୍ନ ଯାହାକୁ ‘ଜ୍ୟାକ୍‌ପଟ୍‌ ପ୍ରଶ୍ନ’ ବୋଲି କୁହାଯାଏ, ତାହା ଥିଲା- ଏସବୁ ମଧ୍ୟରୁ କେଉଁ ରାଜ୍ୟର ସବୁଠାରୁ ଅଧିକ ସଂଖ୍ୟକ ରାଜ୍ୟପାଳ ଦେଶର ରାଷ୍ଟ୍ରପତି ହୋଇଛନ୍ତି?

ଏହି ପ୍ରଶ୍ନର ଉତ୍ତରକୁ ନେଇ ତାଙ୍କର ଆତ୍ମବିଶ୍ୱାସ ନ ଥିଲା। କାଳେ ଭୁଲ୍‌ ହୋଇଯିବ ଏହା ସେ ଭାବୁଥିଲେ ଏବଂ ଖେଳକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ବିଗ୍‌ ବି ଅମିତାଭ ବଚ୍ଚନ ଯେତେବେଳେ ତାଙ୍କୁ କହିଲେ ଏହାର ସଠିକ୍‌ ଉତ୍ତର କ’ଣ ‌ଅନୁମାନ କର, ଏହାର ଉତ୍ତରରେ ବବିତା ବିହାର ବୋଲି କହି ଦେଇଥିଲେ। ଯାହା ସଠିକ୍‌ ଉତ୍ତର ଥିଲା।

ଏସବୁ ପ୍ରଶ୍ନକୁ ଛାଡ଼ିଦେଲେ ତାଙ୍କୁ ପୌରାଣିକ ଉପରେ ମଧ୍ୟ କିଛି ପ୍ରଶ୍ନ ପଚରାଯାଇଥିଲା। ନିର୍ଭୂଲ୍‌ ଭାବରେ ଯାହାର ସଠିକ୍‌ ଉତ୍ତର ସେ ଦେଇଥିଲେ। କାର୍ଯ୍ୟକ୍ରମ ଚାଲିଥିବାବେଳେ ଅମିତାଭ ବବିତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନ ଥିଲା ଯଦି ସେ ଏହି ଟଙ୍କା ଜିତନ୍ତି ତେବେ ସେ କ’ଣ କରିବେ। ଯାହାର ଉତ୍ତରରେ ବବିତା କହିଥିଲେ ନିଜ ପାଇଁ ଏକ ମୋବାଇଲ୍‌ ଫୋନ୍‌ କିଣିବେ।

ବବିତାଙ୍କ ସଂଘର୍ଷମୟ କାହାଣୀ ଜାଣି ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ଖୁବ୍‌ ପ୍ରଶଂସା କରିଥିଲେ। ପରିବାର ଓ ସ୍କୁଲ ପିଲାଙ୍କ ପ୍ରତି ତାଙ୍କର ଏଭଳି ଭଲ ପାଇବା, ସେହ୍ନ, ଆଦର ଦେଖ୍ ଅମିତାଭ ବି କିଛି ସମୟ ଭାବପ୍ରବଣ ହୋଇଯାଇଥିଲେ। ବବିତାଙ୍କର ଦୃଢ଼ ଆତ୍ମବିଶ୍ୱାସ ଦେଖି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦର୍ଶକମାନେ ଠିଆ ହୋଇ ୨୦ ମିନିଟ୍‌ରୁ ଅଧିକ ସମୟ ଧରି ତାଳି ମାରିଥିଲେ। ଅମିତାଭ ବି ନିଜେ ଠିଆ ହୋଇ ବବିତାଙ୍କର ବିଜୟକୁ ନେଇ ତାଙ୍କ ପାଇଁ ତାଳି ମାରିଥିଲେ। ଏହି ସ୍ପେଶାଲ୍‌ ଏପିସୋଡ୍‌ ଆଜି ରାତିରେ ଟିଭିରେ ପ୍ରସାରଣ ହେବ।

ବିହାରର ୟୁପିଏସ୍‌ସି ଆଶାୟୀ ପ୍ରାର୍ଥୀ ସାନୋଜ୍‌ ରାଜ୍‌ କେବିସି ସିଜନ୍‌ ୧୧ର ପ୍ରଥମ କରୋଡ଼ପତି ହୋଇଥିଲେ।

You might also like