ବିଜେପି ନେତା ଓ ତାଙ୍କ ପରିବାରକୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ବିଜେପି ନେତା ଓ ତାଙ୍କ ପରିବାରକୁ ହତ୍ୟା କଲେ ଆତଙ୍କବାଦୀ। ଉତ୍ତର କାଶ୍ମୀରର ବିଜେପି ନେତା ଶେଖ୍‌ ୱାସୀମ ବାରୀ, ତାଙ୍କ ବାପା ଏବଂ ଭାଇଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ବୁଧବାର ରାତି ପ୍ରାୟ ୯ଟାରେ ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଡିଜିପି ଦିଲ୍‌ବାଗ ସିଂହ ସୂଚନା ଦେଇଛନ୍ତି।

ଶେଖ୍‌ ୱାସୀମ ବାରୀ ବାନ୍ଦିପୋରାର ଜିଲ୍ଲା ବିଜେପି ଅଧ୍ୟକ୍ଷ ଥିଲେ। ରାତି ପ୍ରାୟ ୯ଟା ସମୟରେ ସେ ତାଙ୍କ ଦୋକାନରେ ଥିବା ବେଳେ ଆତଙ୍କବାଦୀମାନେ ସିଧାସଳଖ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ଡିଜିପି ସୂଚନା ଦେଇଛନ୍ତି।

Image

ଏହି ଆକ୍ରମଣରେ ବାରୀଙ୍କ ଭାଇ ଉମର ଏବଂ ବାପା ବଶୀର ଅହମଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବାନ୍ଦିପୋରା ଜିଲ୍ଲା ହସ୍‌ପିଟାଲକୁ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

କାଶ୍ମୀର ଆଇଜିଙ୍କ କହିବାନୁସାରେ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ୮ ଜଣ ସୁରକ୍ଷାକର୍ମୀ ଯୋଗାଇ ଦିଆଯାଇଥିଲା। କିନ୍ତୁ ଘଟଣା ସମୟରେ କେହି ବି ଉପସ୍ଥିତ ନଥିବାରୁ ୭ ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇଛି।

Image

ତେବେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବ୍‌ଦୁଲ୍ଲାହ। ସେ ତାଙ୍କ ଟ୍ୱିଟର୍‌ରେ ଲେଖିଛନ୍ତି ” ବିଜେପି ନେତା ଓ ତାଙ୍କ ବାପାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା ଶୁଣି ଅତ୍ୟନ୍ତ ଦୁଃଖ ଲାଗିଲା। ଏହି ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ଏହି ସମୟରେ ତାଙ୍କ ପରିବାର ପ୍ରତି ମୋର ସମବେଦନା। ”

Image

 

You might also like