କର୍ଣ୍ଣାଟକା ରାଜନୀତି ସଂକଟ: ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି
ବେଙ୍ଗାଲୁରୁ: ଆସ୍ଥା ଭୋଟରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ପରାସ୍ତ ହେବାର ୨ ଦିନ ପରେ ଆଜି ବାଚସ୍ପତି କେଏମ ରମେଶ କୁମାର ମେଣ୍ଟ ସରକାର ବିରୋଧରେ ବିଦ୍ରୋହ କରିଥିବା ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଅଯୋଗ୍ୟ ଘୋଷିତ ହୋଇଥିବା ୩ ଜଣ ଯାକ ବିଧାୟକ କଂଗ୍ରେସ ଦଳର।
ସେମାନେ ହେଲେ ଆର ଶଙ୍କର,ରମେଶ ଝରକିହୋଲି ଓ ମହେଶ କୁମାଥାହାଲ୍ଲି। ଏମାନଙ୍କୁ ବାଚସ୍ପତି ଦଳ ବଦଳ ଆଇନ୍ର ସେଡ୍ୟୁଲ ୧୦ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହାର ଅର୍ଥ ଏହି ୩ ବିଧାୟକ କର୍ଣ୍ଣାଟକା ବିଧାନସଭାର ସଦସ୍ୟ ରହିବେ ନାହିଁ, ବିଧାନସଭାର ଅବଧି ଶେଷ ନ ହେବା ଯାଏ ନିର୍ବାଚନ ଲଢ଼ିପାରିବେ ନାହିଁ କିମ୍ବା ମନ୍ତ୍ରୀ ହୋଇପାରିବେ ନାହିଁ। ୨୦୨୩ରେ କର୍ଣ୍ଣାଟକା ବିଧାନସଭାର ଅବଧି ଶେଷ ହେବ। ଅଯୋଗ୍ୟ ଘୋଷିତ ଏହି ବିଧାୟକମାନେ କୌଣସି ବିଧାନସଭା ଉପ ନିର୍ବାଚନରେ ଲଢ଼ିପାରିବେ ନାହିଁ।
ବାଚସ୍ପତି ରେମଶ କୁମାର କହିଛନ୍ତି, “ଆର ଶଙ୍କର କେପିଜେପି ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ କେପିଜେପି ଜୁନ୍ ୧୪ରେ କଂଗ୍ରେସରେ ଲୀନ ହୋଇଥିଲା। ସେହିଦିନ କଂଗ୍ରେସ ବିଧାୟକ ଦଳର ନେତା ସିଦ୍ଦରମୈୟା ବାଚସ୍ପତିଙ୍କୁ ଏକଥା ଜଣାଇଥିଲେ। ଏହାପରେ ଜୁନ୍ ୨୫ରେ ଆର ଶଙ୍କର କଂଗ୍ରେସର ବିଧାୟକ ହୋଇଥିଲେ।
ଏପରି କି ତାଙ୍କୁ କଂଗ୍ରେସର ବିଧାୟକ ଭାବେ ସିଟ୍ ମିଳିଥିଲା। ହେଲେ ଏବେ ସେ ଦଳ ବିରୋଧରେ ଯାଇ ବିଜେପିକୁ ସମର୍ଥନ କରିଥିବା କଥା ଘୋଷଣା କରିଥିଲେ। ତେଣୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏବେ ଅଯୋଗ୍ୟ ଘୋଷିତ ବିଧାୟକମାନେ କେବଳ ମୋ ନିଷ୍ପତ୍ତି ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ। ଇସ୍ତଫା ଦେଇଥିବା ଅନ୍ୟ ବିଧାୟକଙ୍କ ସମ୍ପର୍କରେ ନିଷ୍ପତ୍ତି ନେବାକୁ ମୋତେ ଆଉ କିଛି ଦିନ ସମୟ ଦରକାର।”
ମେଣ୍ଟ ସରକାରରେ ଥିବା ୧୭ ଜଣ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକାରେ ହାଇଡ୍ରାମା ସୃଷ୍ଟି ହୋଇଥିଲା। ଏହାପରେ ଆସ୍ଥା ଭୋଟ ହୋଇଥିଲା। ଯେଉଁଥିରେ ବିଜେପି ୧୦୫-୯୯ରେ କଂଗ୍ରେସ-ଜେଡିଏସ୍ ମେଣ୍ଟକୁ ପରାସ୍ତ କରିଥିଲା।