କର୍ଣ୍ଣାଟକ ରାଜନୈତିକ ସଙ୍କଟ: ଆସନ୍ତା ୨୨ରେ ହୋଇପାରେ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ନାଟକର କେବେ ପଡ଼ିବ ଯବନିକା? ଆସ୍ଥା ଭୋଟ୍‌ ପାଇଁ ତିନି ତିନି ଥର ରାଜ୍ୟପାଳଙ୍କ ଡେଡ୍‌ଲାଇନକୁ ବେଖାତିର କରି ‌ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ରଖିଛନ୍ତି। ବାଚସ୍ପତିଙ୍କ ମୁଲତବି ଘୋଷଣା ପରେ କୁମାରସ୍ୱାମୀ ସରକାରଙ୍କୁ ୨ ଦିନିଆ ଆଶ୍ୱସ୍ତି ମିଳିଥିବା ବେଳେ ଆସନ୍ତା ୨୨ରେ ଆସ୍ଥା ଭୋଟ୍ ହୋଇପାରେ।

ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିବା ପରେ ଗତ ଗୁରୁବାର ଆସ୍ଥା ଭୋଟ୍‌ ସାରିବା ପାଇଁ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ଏହାକୁ ନ ମାନି ବାଚସ୍ପତି ଗୃହକୁ ମୁଲତବି କରିବାରୁ ଶୁକ୍ରବାର ଅର୍ଥାତ୍ ଗତକାଲି ଅପରାହ୍ନ ୧ଟା ୩୦ ମିନିଟ୍‌ ସୁଦ୍ଧା ‌ଆସ୍ଥା ଭୋଟ୍‌ କରାଇବାକୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ରାଜ୍ୟପାଳ ଚିଠି ଲେଖିଥିଲେ।  ଏହାପରେ ବି ଆସ୍ଥା ଭୋଟ୍‌ ସମ୍ଭବ ହୋଇପାରିଲା ନାହିଁ।  ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି କୁମାରସ୍ୱାମୀ କହିଥିବା ବେଳେ ଗତକାଲି ଏଥିପାଇଁ ରାଜ୍ୟପାଳ ଦେଇଥିବା ଡେଡ୍‌ଲାଇନକୁ ବି ସେ ମାନି ନାହାନ୍ତି।

ରାଜ୍ୟପାଳଙ୍କ ଚିଠି ଆସିବା ପରେ ଏହାକୁ ସମାଲୋଚନା କରିବା ସହ ଏହା ବିରୋଧରେ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

You might also like