କରୋନା ସଂକ୍ରମଣରେ ବ୍ରେକ ଲଗାଇ ପାରିଲାନି କର୍ଫ୍ୟୁ : ୧୦ରୁ ୨୪ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଲକଡାଉନ୍

ବେଙ୍ଗାଲୁର : ଦୈନିକ ମୃତ୍ୟୁ ଓ ପଜିଟିଭ୍ ହାରରେ ବ୍ରେକ ଲଗାଇବା ପାଇଁ ଦୁଇ ସପ୍ତାହର ଲକଡାଉନ୍ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । କରୋନା ସଂକ୍ରମଣକୁ କମ୍ କରିବାକୁ ସାରା ରାଜ୍ୟରେ କର୍ଫ୍ୟୁ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିଲାନି । ଫଳରେ ରାଜ୍ୟବ୍ୟାପୀ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଆସନ୍ତା ୧୦ ତାରିଖରୁ ମେ ୨୪ ତାରଖ ସକାଳ ୬ଟା ଯାଏ ଏହି କଟକଣା ଜାରି ରହିବ ଲକଡାଉନ୍ । କଟକଣାରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି ଆ ମାଲ୍ ପରିବହନକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି । ଗ୍ରୋସରୀ ଦୋକାନ ସକାଳ ୬ଟାରୁ ସଂଧ୍ୟା ୬ଟା ମଧ୍ୟ ଖୋଲା ରହିବ ବୋଲି ଲକଡାଉନ୍ ଗାଇଡଲାଇନରେ ଦର୍ଶାଯାଇଛି । ସେହିଭଳି ଏହି କଟକଣା ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଏବଂ କାର୍ଗୋ ଯାନବାହନର ଚଳାଚଳକୁ ସରକାର ଅନୁମତି ଦେଇଛନ୍ତି ।

ହୋଟେଲ, ପବ୍, ବାର୍, ଶିଳ୍ପାନୁଷ୍ଠାନ ଗୁ଼ଡ଼ିକ ଜରୁରୀ ସେବା ପ୍ରଦାନରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ନୁହନ୍ତି, ଏଥିପାଇଁ ସେମାନେ ସଟର ବନ୍ଦ ରଖିବେ ବୋଲି ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି । ବିମାନସେବା, ଟ୍ରେନ୍ ଚଳାଚଳକୁ ଅନୁମତି ରହିଥିଲେ ମଧ୍ୟ ମେଟ୍ରୋ ସେବାକୁ ଏଥିରୁ ବାଦ୍ ଦେଇଛନ୍ତି କର୍ଣ୍ଣାଟକ ସରକାର । ସ୍କୁଲ, କଲେଜ ବନ୍ଦ ରହିବାକୁ ଗାଇଡ ଲାଇନରେ କୁହାଯାଇଥିବା ବେଳେ ଅନଲାଇନ୍ ପାଠପଢ଼ାକୁ ସରକାର ଅନୁମତି ଦେଇଛନ୍ତି । ବର୍ତ୍ତମାନ ସମୟରେ ଯେଉଁ କେତେକ ରାଜ୍ୟରେ ଦୈନିକ ସର୍ବାଧିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ରେକର୍ଡ କରୁଛି ସେହି ତାଲିକାରେ କର୍ଣ୍ଣାଟକ ମଧ୍ୟ ରହିଛି । ବିଶେଷ କରି ବେଙ୍ଗାଲୁରୁ ସହରରେ ବଢୁଥିବା ସଂକ୍ରମଣ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ସେପଟେ ଆସନ୍ତାକାଲିଠାରୁ ଗୋଆରେ ମଧ୍ୟ ୧୫ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଗୋଆରେ ୧୫ଦିନ ପାଇଁ କର୍ଫ୍ୟୁ ଜାରି ହୋଇଛି । କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଦୋକାନଗୁଡ଼ିକ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ସକାଳ ୭ ଟାରୁ ସଂଧ୍ୟା ୭ଟା ମଧ୍ୟରେ ଖାଦ୍ୟ ବିତରଣକୁ ଅନୁମତି ଦିଆଯିବ ।

ସେହିପରି କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ହିମାଚଳ ପ୍ରଦେଶରେ ବି ଜାରି ରହିଛି ଲକଡାଉନ୍ । କଟକଣା ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି କଟକଣା ଆସନ୍ତା ୧୬ ତାରିଖ ଯାଏ ବଳବତ୍ତର ରହିବ । ଏହାରି ମଧ୍ୟରେ ରାଜ୍ୟରେ କେମିତି ଲକଡାଉନ୍ କଟକଣା କାର୍ଯ୍ୟକାରୀ ହେଉଛି, ଲୋକେ କେମିତି ଏହାକୁ ପାଳନ କରୁଛନ୍ତି ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ।

You might also like