ରାହୁଲ୍‌ଙ୍କ ଉପରେ ରାଗି ଟ୍ୱିଟ କରି ପୁଣି ଡିଲିଟ କଲେ କପିଲ ସିବଲ

ନୂଆଦିଲ୍ଲୀ: ଦଳୀୟ ନେତୃତ୍ୱ ପରିବର୍ତ୍ତନ ନେଇ ବରିଷ୍ଠ ନେତାଙ୍କ ଚିଠି ପରେ କଂଗ୍ରେସରେ ସୃଷ୍ଟି ହୋଇଛି ହଟଚମଟ । ଦଳର ୨୦ରୁ ଅଧିକ ନେତାଙ୍କ ଚିଠି ପାଇବା ପରେ ସଭାପତି ପଦ ଛାଡ଼ିବାକୁ ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ରହିବା ସହ ଦଳରେ କାର୍ଯ୍ୟ ଓ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ଥିବା ଦର୍ଶାଇ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ୍, ଶଶି ଥରୁର୍, ପୃଥ୍ୱୀରାଜ ଚୌହାନ୍ ଭଳି ନେତା ସୋନିଆଙ୍କୁ ଚିିଠି ଲେଖିଥିଲେ।

ହେଲେ ଏହି ଚିଠିକୁ ନେଇ ବୈଠକରେ ବର୍ଷିଛନ୍ତି ରାହୁଲ ଗାନ୍ଧି।  ଚିଠି ପଛରେ ବିଜେପିର ଷଡ଼ଯନ୍ତ୍ର ଥିବା ଖୋଦ୍ ରାହୁଲ ଗାନ୍ଧି ଅଭିଯୋଗ ଆଣିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  ପୁରୁଖା ନେତା। ଗୁଲାମନବୀ ଆଜାଦ ଓ କପିଲ ସିବଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି। ଏପରିକି ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ଗୁଲାମ ନବି ଆଜାଦ ବିଜେପି ସହିତ ସଂପର୍କର ପ୍ରମାଣ ମିଳିଲେ ଇସ୍ତଫା ଦେବି ବୋଲି କହିଛନ୍ତି।

 

ସେହିପରି କପିଲ ସିବଲ ଟ୍ୱିଟ କରି ତେଢାବାଣୀ ଶୁଣାଇଥିଲେ। ଟ୍ୱିଟ୍‌ରେ ସେ ଲେଖିଥିଲେ, ୩୦ ବର୍ଷ ଧରି ମୁଁ ବିଜେପି ସପକ୍ଷରେ ବୟାନ ଦେଇ ନାହିଁ। ଏହା ପରେ ବି ବିଜେପି ସହ ସଂପର୍କ ରହିଛି ‍‍ବୋଲି ଅଭିଯୋଗ ଆସିଲା। ତେବେ ଟ୍ୱିଟ କରିବାର କିଛି ସମୟ ପରେ କପିଲ ସିବଲ ଏହି ଟ୍ୱିଟକୁ ଡିଲିଟ କରି ଦେଇଛନ୍ତି। ଏହାର ଉତ୍ତରରେ କପିଲ ନିଜେ କହିଛନ୍ତି, ରାହୁଲ ତାଙ୍କୁ ଫୋନ କରି ସେ ଏପରି କହି ନାହାନ୍ତି ବୋଲି କହିଥିଲେ। ତେଣୁ ସେ ଟ୍ୱିଟ ଡିଲିଟ କଲେ ବୋଲି କହିଛନ୍ତି।

ତେବେ ମିଳିଥିବା ଖବରରୁ ଜଣାଯାଇଛି, ଆଜି ପାର୍ଟି ବୈଠକ ଖୁବ୍‌ ସରଗରମ ଥିଲା।  ପରିସ୍ଥିତି ଏପରି ହୋଇଥିଲା ଯେ କେତେକ ବରିଷ୍ଠ ନେତା ବୈଠକ ଛାଡ଼ି ଚାଲି ଆସିଥିଲେ।

 

You might also like