ସୁଶାନ୍ତଙ୍କ ମୃତ୍ୟୁ ମାମଲା: ପ୍ରମାଣ ନ ଦେଇପାରିଲେ ପଦ୍ମଶ୍ରୀ ଫେରାଇବି ବୋଲି କହିଲେ କଙ୍ଗନା

ମୁମ୍ବାଇ:  ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ନାହାନ୍ତି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଯଦି ତଦନ୍ତକାରୀ ସଂସ୍ଥାକୁ ଏ ସମ୍ପର୍କରେ ମୁଁ ପ୍ରମାଣ ଦେଇନପାରିବି, ତେବେ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବି ବୋଲି ଆଜି ରିପବ୍ଲିଟ୍ ଟିଭି ଚ୍ୟାନଲେକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏଭିଳି ବୟାନ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱାତ।

କଙ୍ଗନା କହିଛନ୍ତି ସୁଶାନ୍ତ ମୃତ୍ୟୁ ମାମଲାରେ ସେ ଯାହା କହିଛନ୍ତି, ସେ ସବୁର ପ୍ରମାଣ ତାଙ୍କ ନିକଟରେ ରହିଛି। ଯଦି ପୋଲିସ କି ସିବିଆଇ ତାଙ୍କୁ ଏ ସମ୍ପର୍କରେ ପଚାରନ୍ତି, ତେବେ ସେ ଆଣିଥିବା ଅଭିଯୋଗର ସମସ୍ତ ତଥ୍ୟ ପ୍ରମାଣ ସହ ଦେଇପାରିବେ। ଯଦି ସେ ପ୍ରମାଣ ଦେଇନପାରିବେ, ତେବେ ସେ ପାଇଥିବା ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବେ ବୋଲି ଦୃଢ଼ତାର ସହ କହିଛନ୍ତି କଙ୍ଗନା। ଏପଟେ ସୁସାନ୍ତ ସିଂହ ମୃତ୍ୟୁ ମାମଲାରେ ୟଶରାଜ ଫିଲ୍ମ ପ୍ରଡକ୍ସନ୍ ହାଉସର ମୁଖ୍ୟ ତଥା ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରିଛି ମୁମ୍ବାଇର ବାନ୍ଦ୍ରା ପୋଲିସ।

ଆଜି ମୁମ୍ବାଇ ପୋଲିସ ଆଦିତ୍ୟ ଚୋପ୍ରାଙ୍କୁ ୩ ଘଣ୍ଟା ଧରି ଜେରା ବେଳେ ବିଭିନ୍ନ ପ୍ରଶ୍ନ ପଚାରିଥିଲା। ଏଥିରେ ସୁଶାନ୍ତ ସିଂଙ୍କ ସହ ହୋଇଥିବା ଚୁକ୍ତିନାମା ଏବଂ ୟଶରାଜ ଫିଲ୍ମସ ସହିତ ହୋଇଥିବା ଅନ୍ୟ ଡିଲ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ବ୍ୟାନରରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଦିତ୍ୟ ଚୋପ୍ରାଙ୍କ ୟଶରାଜ ଫିଲ୍ମ ସହିତ ସୁଶାନ୍ତ ସିଂ ରାଜପୁତ ଏକ ଚୁକ୍ତି କରିଥିଲେ। ଚୁକ୍ତିନାମା ଅନୁଯାୟୀ, ଯଶରାଜ ଫିଲ୍ମ ସୁଶାନ୍ତଙ୍କ ସହ ୩ ଟି ଫିଲ୍ମ କରିବାର ଥିଲା। ଏଥିମଧ୍ୟରୁ୨ ଟି ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଥିଲା। ତେବେ ତୃତୀୟ ଚଳଚ୍ଚିତ୍ର ତିଆରି ହୋଇନାହିଁ।

ଏହା ପରେ ସୁଶାନ୍ତ ନିରାଶ ହୋଇ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି। ତେବେ ଏହି ଉଦାସୀନତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ୟଶରାଜ ଫିଲ୍ମସ ବିରୋଧରେ ଅଭିଯୋଗ ଆସିଥିଲା। ୟଶରାଜ ଫିଲ୍ମସ ଗୋଟିଏ ପଟେ ସୁଶାନ୍ତଙ୍କୁ ଫିଲ୍ମ ଦେଉ ନ ଥିଲା, ଅନ୍ୟ ପକ୍ଷରେ  ଅନ୍ୟ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ଦେଉ ନ ଥିଲା। ଏହାକୁ ନେଇ  ସୁଶାନ୍ତ ଡିପ୍ରେସନରେ ଥିଲେ ବୋଲି କୁହାଯାଉଛି ।

ଜୁନ୍ ୧୪ରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ଏହାପରଠୁ ପୁଲିସ ଘଟଣାରେ ତଦନ୍ତ ଚଳାଇଛି। ଏହି ତଦନ୍ତରେ ଏଯାଏଁ ପୋଲିସ ୧୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରି ସେମାନଙ୍କ ବୟାନ ରେକର୍ଡ କରିସାରିଛି। ଏମାନଙ୍କ ମଧ୍ୟରେ ସୁଶାନ୍ତଙ୍କ ବନ୍ଧୁ, ପରିଜନ ଓ ସହାୟକ ଅଛନ୍ତି।

You might also like