ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କମଲନାଥ

ଭୋପାଳ: ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଗତକାଲି ଦିନତମାମ ହାଇଡ୍ରାମା ଓ ସସ୍‌ପେନ୍ସ ପରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ମାରାଥନ ଆଲୋଚନା ପରେ କମଲନାଥଙ୍କ ମୁଣ୍ଡରେ ହାତୀ ସୁନା କଳସୀ ଢାଳିଛି। ଅର୍ଥାତ୍‌ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ କମଲନାଥଙ୍କୁ ଚୟନ କରାଯାଇଛି।

କମଲନାଥଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରହିଥିଲେ। ହେଲେ ରାହୁଲ ଗାନ୍ଧି ଯୁବଗୋଷ୍ଠୀଙ୍କ ପସନ୍ଦ ସିନ୍ଧିଆଙ୍କ ବଦଳରେ ବରିଷ୍ଠ ରାଜନେତା କମଲନାଥଙ୍କୁ ମଧ୍ୟପ୍ରଦେଶର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ବିଧାନସଭା ନିର୍ବାଚନରେ ଦଳର ବିଜୟ ପରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ତାହା ସ୍ଥିର କରିବା ରାହୁଲ ଗାନ୍ଧିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା।  ଦିଲ୍ଲୀରେ ଘନ ଘନ ବୈଠକ ପରେ ଶେଷରେ କମଲନାଥଙ୍କ ନାଁରେ ମୋହର ବାଜିଛି।  ଆଜି ସକାଳ ସାଢ଼େ ୧୦ଟା ରେ ସେ ରାଜ୍ୟପାଳଙ୍କୁ ଭେଟିବେ ଏବଂ ସରକାର ଗଠନ ନେଇ ଆଲୋଚନା କରିବେ। ତା’ ପରେ ଶପଥ ଗ୍ରହଣର ଦିନ ସ୍ଥିର ହେବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜସ୍ଥାନରେ ସଚିନ୍‌ ପାଇଲଟ୍‌ ନା ଅଶୋକ ଗେହେଲଟ୍‌ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି। ଗତକାଲି ରାହୁଲ ଗାନ୍ଧି ଉଭୟ ସଚିନ ଏବଂ ଗେହେଲଟଙ୍କ ସହ ଆଲୋଚନା କରିଥିଲେ।

You might also like