ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବରିଷ୍ଠ ନେତା କମଲନାଥ

ଭୋପାଳରେ ବସିଛି ବିଧାୟକ ଦଳ ବୈଠକ

ମଧ୍ୟପ୍ରଦେଶ : ରେଜଲ୍ଟର ୨୪ ଘଣ୍ଟା ପରେ ମଧ୍ୟପ୍ରଦେଶରେ ସରକାର ଗଠନକୁ ନେଇ ଚିତ୍ର ସ୍ପଷ୍ଟ। ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିବା କଂଗ୍ରେସ ୧୫ ବର୍ଷ ପରେ ପୁଣି ଥରେ କ୍ଷମତାକୁ ଫେରିଛି। ୧୧୪ ଆସନ ହାତେଇଥିବା କଂଗ୍ରେସକୁ ସରକାର ଗଢିବା ପାଇଁ ଦରକାର ପଡୁଥିଲା ଆଉ ୨ଟି ଆସନ। ତେବେ ଆଜି ଅଖିଳେଶ ସିଂ ଯାଦବ ଓ ମାୟାବତୀ କଂଗ୍ରେସକୁ ସମର୍ଥନ ଘୋଷଣା ପରେ ଚିତ୍ର ସ୍ପଷ୍ଟ ହୋଇଛି।

ସମର୍ଥନ ମିଳିବା ପରେ ସରକାର ଗଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କମଲନାଥ। ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ପାଇଁ କରିଛନ୍ତି ଦାବି। ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ନେଇ କମଳନାଥ ରାଜ୍ୟପାଳଙ୍କୁ ଭେଟିଛନ୍ତି। ସେପଟେ କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକମାନେ ବାଇକ୍‌ ରାଲି କରି ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଛନ୍ତି।

ମଧ୍ୟପ୍ରଦେଶରେ ୨୩୦ଟି ଆସନରୁ କଂଗ୍ରେସ ୧୧୪ଟି ଆସନ ପାଇ ଥିବା ବେଳେ ବିଜେପିକୁ ମିଳିଛି ୧୦୯ଟି ଆସନ। କିନ୍ତୁ ଭୋଟ ହାର ଦୃଷ୍ଟିରୁ ଆଗୁଆ ରହିଛି ବିଜେପି। ଶିବରାଜ ସିଂ ଚୌହ୍ୱାନଙ୍କ ନେତୃତ୍ୱାଧୀନ ବିଜେପିକୁ ମିଳିଛି ୪୧ ପ୍ରତିଶତ ଭୋଟ। ଏହା ସତ୍ତ୍ୱେ ଦଳ ବହୁମତ ଠାରୁ ୭ଟି ସିଟ୍ ଦୂରରେ ରହିଛି। ଫଳରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶିବରାଜ ସିଂହ ଚୌହାନ। ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପୂର୍ବରୁ ଶିବରାଜ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଁ ସଂଖ୍ୟାବଳ ଆଗରେ ମୁଣ୍ଡ ନୁଆଁଉଛି।

୨୦୦୩ ମସିହାରୁ ଲଗାତାର ୩ ଥର ମଧ୍ୟପ୍ରଦେଶରେ ସରକାର କରିଥିଲା ବିଜେପି। ୨୦୦୩ରୁ ୨୦୦୪ ଯାଏଁ ଉମା ଭାରତୀ ଏବଂ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ଗୋଟିଏ ବର୍ଷ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ ବାବୁଲାଲ ଗୌର। କିନ୍ତୁ ୨୦୦୫ରୁ ଶିବରାଜ ସିଂ ଚୌହ୍ୱାନ ଲଗାତାର ୧୩ ବର୍ଷ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ସେହିପରି ୨୦୦୩ ମସିହାରେ କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ସରକାରକୁ ଫେରିଛି।

You might also like