ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ୍‌ ୱାସୀମ ବାରୀ ଓ ତାଙ୍କ ପରିବାରକୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିବା ଘଟଣାରେ ପୁଲିସ୍ ବଡ଼ ପ୍ରମାଣ ପାଇଛି। ଏହି ହତ୍ୟାଘଟଣାରେ ଲକ୍ସର ତୋଇବା ଆତଙ୍କବାଦୀ ସାମିଲ୍‌ ଥାଇପାରନ୍ତି ବୋଲି ସୂଚନା ମିଳିଛି।

ଦୁର୍ଘଟଣା ସମୟରେ ସିସିଟିଭି ଫୁଟେଜ୍ ପୁଲିସ୍ ହାତରେ ଲାଗିଛି। ହତ୍ୟାର କିଛି ସମୟ ପୂର୍ବରୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ସବୁ ସିସିଟିଭିରେ କଏଦ୍‌ ହୋଇଛି। ଜଣେ ପାକିସ୍ତାନ ଆତଙ୍କବାଦୀଙ୍କ ମଧ୍ୟ ଏଥିରେ ସାମିଲ୍‌ ଥିବା ପୁଲିସ୍ ଜାଣିବାକୁ ପାଇଛି। ତେବେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ପୁଲିସ୍‌ ସିସିଟିଭ୍ ଫୁଟେଜ୍‌ର ସ୍କାନିଂ ଜାରି ରଖିଛି।

ସିସିଟିଭି ଫୁଟେଜ୍‌ରେ ଜଣେ ଚନ୍ଦା ବ୍ୟକ୍ତି ହତ୍ୟାଘଟଣାର କିଛି ସମୟ ପୂର୍ବରୁ ସେହି ସ୍ଥାନ ଦେଇ ଯାଉଥିବାର ଦେଖା ଯାଉଛି। ଏନେଇ ଜାମ୍ମୁ-କାଶ୍ମୀର ଡିଜିପି ଦିଲ୍‌ବାଗ ସଂହ କହିଛନ୍ତି, ଆତଙ୍କବାଦୀରେ ଏକ ହାଇବ୍ରିଡି ଗ୍ରୁପ୍ ଏହି ଘଟଣା ଘଟାଇଛି। ଏଥିରେ ଦୁଇଜଣ ଆତଙ୍କବାଦୀ ସାମିଲ୍‌ ଅଛନ୍ତି। ଜଣେ ସ୍ଥାନୀୟ ହୋଇଥିବା ବେଳେ ଅନ୍ୟ ଜଣେ ପାକିସ୍ତାନୀ ଆତଙ୍କବାଦୀ ସାମିଲ୍‌ ରହିଛି। ଏଥିରେ ଜଣେ ଲକ୍ସର୍‌ ତୋଇବାର ଆତଙ୍କବାଦୀ ଥିବା ଜଣାପଡ଼ଛି। ତା ନାଁ ଅବିଦ୍‌ ବୋଲି ଜଣାପଡ଼ିଥିବା ଆଇଜି ବିନୟ କୁମାର କହିଛନ୍ତି।

ଗୋଇନ୍ଦା ସଂସ୍ଥାର ରିପୋର୍ଟ ଅନୁସାରେ, ପୂର୍ବରୁ ଏହି ଘଟଣାରେ ଜୈଶ-ଇ ମୋହମ୍ମଦ ସାମିଲ୍‌ ଥିବା ସନ୍ଦେହ କରାଯାଉଥିଲା। କିନ୍ତୁ ପରେ ଲକ୍ସର ସାମିଲ୍‌ ଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କର ହାଇବ୍ରିଡି ମୋଡେଲ୍ ଅନୁସାରେ ଏହି ହତ୍ୟା କରାଯାଇଛି।

ହାଇବ୍ରିଡି ମୋଡେଲ୍ ଅନୁସାରେ ଗୋଟିଏ ଗ୍ରୁପ୍‌ର ଆତଙ୍କବାଦୀ ଅନ୍ୟ ଗ୍ରୁପ୍‌କୁ ଯାଇ ଗୋପନୀୟତା ପାଇଁ ସେଠାରେ ନିଜର ନାଁ ପରିବର୍ତ୍ତନ କରି ଘଟଣା ଘଟାନ୍ତି।

ପ୍ରାଥମିକ ତଦନ୍ତରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ତଥା ଲକ୍ସରର ନୂଆ ଆତଙ୍କୀ ଶଖା ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆର୍‌ଏଫ୍‌)’ ଏହି ଘଟଣା ଘଟାଇଥିବା ଜଣାପଡ଼ିଛି।

ସୂଚନା ଥାଉକି, ଗତକାଲି ରାତି ୯ଟା ବେଳେ ଉତ୍ତର କାଶ୍ମୀରର ବାନ୍ଦିପୋରାରେ ବିଜେପି ନେତା ଶେଖ୍‌ ୱାସୀମ ବାରୀ, ତାଙ୍କ ବାପା ଏବଂ ଭାଇଙ୍କୁ ଆତଙ୍କବାଦୀମାନେ ଗୁଳ କରି ହତ୍ୟା କରିଛନ୍ତି।

ଶେଖ୍‌ ୱାସୀମ ବାରୀ ବାନ୍ଦିପୋରାର ଜିଲ୍ଲା ବିଜେପି ଅଧ୍ୟକ୍ଷ ଥିଲେ। ରାତି ପ୍ରାୟ ୯ଟା ସମୟରେ ସେ ତାଙ୍କ ଦୋକାନରେ ଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

କାଶ୍ମୀର ଆଇଜିଙ୍କ କହିବାନୁସାରେ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ୮ ଜଣ ସୁରକ୍ଷାକର୍ମୀ ଯୋଗାଇ ଦିଆଯାଇଥିଲା। କିନ୍ତୁ ଘଟଣା ସମୟରେ କେହି ବି ଉପସ୍ଥିତ ନଥିଲେ। ଏହି ଘଟଣାରେ ୧୦ ପୁଲିସ୍‌ କର୍ମୀଙ୍କୁ ଗିରଫ କରାଯାଇଛି।

You might also like