ଜଷ୍ଟିସ ଏନ.ଭି ରମଣା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

କେନ୍ଦ୍ରକୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡେ

ଜଷ୍ଟିସ ଏନ.ଭି ରମଣାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସୁପାରିସ୍
କେନ୍ଦ୍ରକୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡେ
ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କଲେ
ଏପ୍ରିଲ ୨୩ରେ ଜଷ୍ଟିସ୍ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି

ନୂଆଦିଲ୍ଲୀ :  ଜଷ୍ଟିସ୍ ଏନ.ଭି ରମଣା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି । ଜଷ୍ଟିସ ଏନ.ଭି ରମନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେ ସୁପାରିସ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କୁ ସେ ଚିଠି ଲେଖିଛନ୍ତି ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଏନ. ଭି. ରମନ୍ନାଙ୍କୁ ନିଯୁକ୍ତି ପାଇଁ ସେ ସୁପାରିସ କରିଛନ୍ତି । ଆଉ ମାସକ ପରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେ ଅବସର ଗ୍ରହଣ କରିବେ । ଏପ୍ରିଲ ୨୩ରେ ଜଷ୍ଟିସ ବୋବଡେଙ୍କ କାର୍ଯକାଳ ଶେଷ ହେବାକୁ ଯାଉଛି । ଏପରି ସ୍ଥଳେ ଗୋଟିଏ ମାସ ପୂର୍ବରୁ ହିଁ , ଜଷ୍ଟିସ ଏସ.ଏ. ବୋବଡେ ସରକାରଙ୍କୁ ଜଷ୍ଟିସ୍ ରମନ୍ନାଙ୍କ ନାମ ସୁପାରିସ କରିଛନ୍ତି।

୨୭ ଅଗଷ୍ଟ ୧୯୫୭ ରେ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ପୋନ୍ନାଭାରାମ ଗ୍ରାମରେ ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ଏନ.ଭି ରମଣା ।  ଫେବୃଆରୀ ୧୦, ୧୯୮୩ରେ ଓକିଲାତି ଆରମ୍ଭ କରିଥିଲେ । ସେ ଆନ୍ଧ୍ରପ୍ରଦେଶର ହାଇକୋର୍ଟ, କେନ୍ଦ୍ରୀୟ ଏବଂ ଆନ୍ଧ୍ରପ୍ରଦେଶ ପ୍ରଶାସନିକ ଟ୍ରିବ୍ୟୁନାଲ ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନାଗରିକ, ଅପରାଧିକ, ସାମ୍ବିଧାନିକ, ଶ୍ରମ, ସେବା ଏବଂ ନିର୍ବାଚନ ପ୍ରସଙ୍ଗରେ ଅଭ୍ୟାସ କରିଛନ୍ତି । ଏନଭି ରମଣାଙ୍କୁ ୨୦୧୭ ଫେବୃଆରୀ ୨ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗତ ଶୁକ୍ରବାର ଦିନ ଜଷ୍ଟିସ୍ ବୋବଡେଙ୍କ ନିକଟକୁ ପତ୍ର ଲେଖି ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ପ୍ରସ୍ତାବ ସୁପାରିସ ଲୋଡ଼ିଥିଲେ। ରବି ଶଙ୍କର ପ୍ରସାଦ ଜଷ୍ଟିସ ବୋବଡେଙ୍କୁ ପଚାରିଥିଲେ,  ତାଙ୍କ ପରେ ତାଙ୍କର ଉତ୍ତରାଧିକାରୀ କିଏ ହେବେ? ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବରେ କିଏ ନିଯୁକ୍ତ ହେବେ? ଆଉ ଏହି ପ୍ରକ୍ରିୟାରେ ନିଜର ଉତ୍ତରାଧିକାରୀ ପାଇଁ ଜଷ୍ଟିସ୍ ରମନ୍ନାଙ୍କ ନାଁକୁ ସୁପାରିଶ କରିଛନ୍ତି ବର୍ତ୍ତମାନର ପ୍ରଧାନ ବିଚାରପତି ।

ପରମ୍ପରା ଅନୁଯାୟୀ ପ୍ରଧାନ ବିଚାରପତି ତାଙ୍କ ଉତ୍ତରାଧିକାରୀଙ୍କ ନାମ ସରକାରଙ୍କୁ ସୁପାରିସ କରିଥାନ୍ତି ।ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତିଙ୍କୁ ପ୍ରଧାନ ବିଚାରପତି ପଦ ପାଇଁ ନିଯୁକ୍ତ କରାଯାଏ । ସିଜଆଇଙ୍କ ପକ୍ଷରୁ ଗୋପନୀୟ ପତ୍ର ମିଳିବା ପରେ ସରକାର ସମସ୍ତ ଔପଚାରିକତା ପୂରା କରିବା ସହ ସବୁଠାରୁ ବରିଷ୍ଠ ବିଚାରପତିଙ୍କୁ ପ୍ରଧାନ ବିଚାରପତି ରୂପରେ ନିଯୁକ୍ତି ପ୍ରଦାନ କରନ୍ତି । ଏବଂ ରାଷ୍ଟ୍ରପତି ତାଙ୍କୁ ଶପଥପାଠ କରାଇଥାଆନ୍ତି। ତେବେ ସରକାର ଦଖଲ ଦେଇ ବରିଷ୍ଠ ବିଚାରପତି ପରିବର୍ତ୍ତେ କନିଷ୍ଠ ବିଚାରପତିଙ୍କୁ ମଧ୍ୟ ସିଜେଆଇ ନିଯୁକ୍ତି ଦେବାର ପୂର୍ବରୁ ନଜିର ମଧ୍ୟ ରହିଛି ।

You might also like