ଦେଶର ୪୮ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍ ଏନ୍‌ ଭି ରମନା

ଭୁବନେଶ୍ୱର: ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଏନ୍‌ ଭି ରମନା।  ରାଷ୍ଟ୍ରପତି ରାମନାଥ ଗୋବିନ୍ଦଙ୍କଠାରୁ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି  । ରାଷ୍ଟ୍ରପତି ଭବନର ଅଶୋକା ହଲ୍‌ରେ ନିର୍ଦ୍ଦିଷ୍ଟ ଅତିଥିଙ୍କୁ ନେଇ ଆଜି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

କୋଭିଡ୍ କଟକଣା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ସୁପ୍ରିମକୋର୍ଟର ବିଚାରପତି ଉପସ୍ଥିତ ଥିଲେ। ଜଷ୍ଟିସ୍ ଏନ୍‌ଭି ରମନା ସମସ୍ତଙ୍କ ଉପସ୍ଥିତିରେ ଇଂରାଜୀରେ ଶପଥ ନେଇଥିଲେ।

ଜଷ୍ଟିସ୍ ରମନା ୨୭ ଅଗଷ୍ଟ ୧୯୫୭ରେ ଆନ୍ଧ୍ରପ୍ରଦେଶର ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସାମ୍ବାଦିକ ଭାବେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ଜଷ୍ଟିସ୍ ରମନା। ଆନ୍ଧ୍ରପ୍ରଦେଶର ଏକ ତେଲୁଗୁ ଖବର କାଗଜରେ ସେ ସାମ୍ବାଦିକ ଥିଲେ। ଏହାପରେ ବିଜୟୱାଡ଼ାରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ।

ସେ ୨୭ ଜୁନ୍‌ ୨୦୦୦ରେ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହି ସମୟରେ ସେ ଆନ୍ଧ୍ର ପ୍ରଦେଶର କାର୍ଯ୍ୟକାରୀ CJI  ଭାବେ ମଧ୍ୟ କାମ କରିଥିଲେ। ୨୦୧୩ ସେପ୍ଟେମ୍ବର ୨ ତାରିଖରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୪ ଫେବ୍ରୁଆରୀ୧୭ରେ ସେ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ। ସୁପ୍ରିମ୍‌କୋର୍ଟରେ ତାଙ୍କର ୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୧୫୬ ଟି ମାମଲାର ରାୟ ଶୁଣାଇଛନ୍ତି।

ପରେ ଆନ୍ଧ୍ରର ଅତିରିକ୍ତ ଏଜି, ହାଇକୋର୍ଟ ବିଚାରପତି ହେବା ପରେ ୨୦୧୪ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଆନ୍ଧ୍ରପ୍ରଦେଶର ସେ ହେଉଛନ୍ତି ୨ ବ୍ୟକ୍ତି ଯିଏ କି  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଛନ୍ତି। ଏହା ପୂର୍ବରୁ ନବମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ ଜଷ୍ଟିସ୍ କେ.ସୁବା ରାଓ।

୨୦୨୨ ଅଗଷ୍ଟ ୨୬ ଯାଏଁ ସେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ ଏନ୍‌.ଭି .ରମନା।  ସୂଚନାଥାଉ କି, ଗତକାଲି ସୁପ୍ରିିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଜଷ୍ଟିସ ଏସ୍ଏ ବୋବଡେ ଅବସର ନେଇଛନ୍ତି ।

You might also like