• ଜଷ୍ଟିସ୍ ଏନ୍.ଭି ରମନା ହେବେ ଦେଶର ପରବର୍ତ୍ତୀ CJI
  • କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ମୋହର
  • ଆସନ୍ତା ୨୪ରୁ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା

ନୂଆଦିଲ୍ଲୀ :  ଜଷ୍ଟିସ୍ ଏନ୍.ଭି ରମନା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତି ମୋହର ମାରିଛନ୍ତି । ଆସନ୍ତା ୨୪ରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ସେ ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ ଏନ୍.ଭି ରମନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି କରିବା ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେ ସୁପାରିସ କରିଥିଲେ । ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଏନ. ଭି. ରମନାଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ପାରିସ କରିଥିଲେ ବୋବଡେ ।

ଏପ୍ରିଲ ୨୩ରେ ଜଷ୍ଟିସ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହାପରେ ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ ଜଷ୍ଟିସ ରମନା । ୨୭ ଅଗଷ୍ଟ ୧୯୫୭ ରେ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ପୋନ୍ନାଭାରାମ ଗ୍ରାମରେ ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ଏନ.ଭି ରମଣା ।  ଫେବୃଆରୀ ୧୦, ୧୯୮୩ରେ ଓକିଲାତି ଆରମ୍ଭ କରିଥିଲେ । ସେ ଆନ୍ଧ୍ରପ୍ରଦେଶର ହାଇକୋର୍ଟ, କେନ୍ଦ୍ରୀୟ ଏବଂ ଆନ୍ଧ୍ରପ୍ରଦେଶ ପ୍ରଶାସନିକ ଟ୍ରିବ୍ୟୁନାଲ ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନାଗରିକ, ଅପରାଧିକ, ସାମ୍ବିଧାନିକ, ଶ୍ରମ, ସେବା ଏବଂ ନିର୍ବାଚନ ପ୍ରସଙ୍ଗରେ କାର୍ଯ୍ୟ  କରିବା ଅଭିଜ୍ଞତା ରହିଛି  । ଏନଭି ରମଣାଙ୍କୁ ୨୦୧୭ ଫେବୃଆରୀ ୨ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ଆନ୍ଧ୍ର ପ୍ରଦେଶର ଅତିରିକ୍ତ ଏଜି ଭାବେ ଦକ୍ଷତାର ସହ ସେ କାମ କରିଛନ୍ତି । ଏଥିସହ ନାସନାଲ ଲିଗାଲ ସର୍ଭିସ ଅଥୋରିଟି ଏବଂ ସୁପ୍ରିମକୋର୍ଟ ଲିଗାଲ ସର୍ଭିସ କମିଟି ଚେୟାରମ୍ୟାନ ରହିସାରିଛନ୍ତି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ  CJI ବୋବଡେଙ୍କ ନିକଟକୁ ପତ୍ର ଲେଖି ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ପ୍ରସ୍ତାବ ସୁପାରିସ ଲୋଡ଼ିଥିଲେ। ରବି ଶଙ୍କର ପ୍ରସାଦ ଜଷ୍ଟିସ ବୋବଡେଙ୍କୁ ପଚାରିଥିଲେ,  ତାଙ୍କ ପରେ ତାଙ୍କର ଉତ୍ତରାଧିକାରୀ କିଏ ହେବେ? ଆଉ ଏହି ପ୍ରକ୍ରିୟାରେ ନିଜର ଉତ୍ତରାଧିକାରୀ ପାଇଁ ଜଷ୍ଟିସ୍ ରମନ୍ନାଙ୍କ ନାଁକୁ ସୁପାରିଶ କରିଛନ୍ତି ବର୍ତ୍ତମାନର ପ୍ରଧାନ ବିଚାରପତି ।

ପରମ୍ପରା ଅନୁଯାୟୀ ପ୍ରଧାନ ବିଚାରପତି ତାଙ୍କ ଉତ୍ତରାଧିକାରୀଙ୍କ ନାମ ସରକାରଙ୍କୁ ସୁପାରିସ କରିଥାନ୍ତି । ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତିଙ୍କୁ ପ୍ରଧାନ ବିଚାରପତି ପଦ ପାଇଁ ନିଯୁକ୍ତ କରାଯାଏ । ସିଜଆଇଙ୍କ ପକ୍ଷରୁ ଗୋପନୀୟ ପତ୍ର ମିଳିବା ପରେ ସରକାର ସମସ୍ତ ଔପଚାରିକତା ପୂରା କରିବା ସହ ସବୁଠାରୁ ବରିଷ୍ଠ ବିଚାରପତିଙ୍କୁ ପ୍ରଧାନ ବିଚାରପତି ରୂପରେ ନିଯୁକ୍ତି ପ୍ରଦାନ କରନ୍ତି । ଏବଂ ରାଷ୍ଟ୍ରପତି ତାଙ୍କୁ ଶପଥପାଠ କରାଇଥାଆନ୍ତି । ତେବେ ସରକାର ଦଖଲ ଦେଇ ବରିଷ୍ଠ ବିଚାରପତି ପରିବର୍ତ୍ତେ କନିଷ୍ଠ ବିଚାରପତିଙ୍କୁ ମଧ୍ୟ ସିଜେଆଇ ନିଯୁକ୍ତି ଦେବାର ପୂର୍ବରୁ ନଜିର ମଧ୍ୟ ରହିଛି ।

 

Other Stories