ପୁଣି ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା। ବଲିଆ ଅଂଚଳରେ ଜଣେ ଟିଭି ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ସାମ୍ବାଦିକଙ୍କ ନାମ ରତନ ସିଂ(୪୨ ବର୍ଷ) ଓ ସେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ଜମି ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ଗତକାଲି ରାତି ପ୍ରାୟ ୯ଟା ସମୟରେ ଘଟିଛି ଏ ହତ୍ୟାକାଣ୍ଡ । ହତ୍ୟାରେ ସାମିଲ ୩ ଯୁବକଙ୍କୁ ଗିରଫ କରିଛି ବଲିଆ ପୋଲିସ ।ସାମ୍ବାଦିକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ।
ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହ ପୂର୍ବରୁ ଉତ୍ତରପ୍ରଦେଶରେ ଗତ ମାସରେ ମଧ୍ୟ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଙ୍କ ଦୁଇ ଝିଅଙ୍କ ଆଗରେ ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ । ବିକ୍ରମ ଯୋଶୀ ନାମକ ସାମ୍ବାଦିକ ବାଇକରେ ଦୁଇ ଝିଅଙ୍କ ସହ ଯାଉଥିବାବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।