ପୁଣି ଜଣେ ଜାତୀୟସ୍ତରର ସାମ୍ବାଦିକାଙ୍କ ଜୀବନ ନେଲା କରୋନା

କେବେ ଯିବ ମହାମାରୀ?

ନୂଆଦିଲ୍ଲୀ: କରୋନା ପୁଣି ଜଣେ ସାମ୍ବାଦିକଙ୍କର ଜୀବନ ନେଇଛି। ଗତ କିଛିଦିନ ମଧ୍ୟରେ ଲଗାତାର ଭାବରେ ଅନେକ ସାମ୍ବାଦିକ କରୋନାରେ ପ୍ରାଣ ହରାଇସାରିଲେଣି। ସୂଚନା ଅନୁସାରେ, କରୋନାରେ ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କର କରୋନା ଯୋଗୁଁ ପରଲୋକ ହୋଇଛି। କନୁପ୍ରିୟା କେବଳ ଜଣେ ଉପସ୍ଥାପିକା ତାହା ନୁହେଁ ବରଂ ସେ ଜଣେ ଅଭିନେତ୍ରୀ ମଧ୍ୟ। ତାଙ୍କ ବିୟୋଗ ନେଇ ସୋସିଆଲ ମିଡିଆରେ ମୋନା ୱାଲିଆ ସେୟାର କରିଛନ୍ତି। କିନ୍ତୁ କନୁପ୍ରିୟା ଦୁଇ ଦିନ ତଳେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ ଯେ, କରୋନାରେ ସଂକ୍ରମିତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାସହ ତାଙ୍କୁ ସମସ୍ତଙ୍କ ଆଶୀର୍ବାଦର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ଲେଖିଥିଲେ। କିନ୍ତୁ କରୋନା ଯୁଦ୍ଧରେ ସେ ହାରିଯାଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ତାଙ୍କର ଅକ୍ସିଜେନ୍‌ ଲେଭଲ କମିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।

ଦେଶରେ କରୋନା ଏତେ ମାତ୍ରାରେ ବ୍ୟାପିଛି ଯେ, କାହାର କେତେବେଳେ ଜୀବନ ଯାଉଛି ତାହା କେହି ପାରୁନାହାନ୍ତି। ପ୍ରତିଦିନ ହଜାର ହଜାର ସଂକ୍ରମିତଙ୍କ ଜୀବନ ଯାଉଛି ଏହି ମହାମାରୀରେ। ଦିନ କେଇଟାରେ ଆମେ କେତେ ଯେ, ଜଣାଶୁଣା ବ୍ୟକ୍ତିଙ୍କୁ ହରାଇ ସାରିଲୁଣି ତାହାର କୌଣସି ହିସାବ ନାହିଁ। ଗତକାଲି ବିଶିଷ୍ଟ ସାମ୍ବାଦିକ, ସିନିୟର ଆଙ୍କର ତଥା ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ରୋହିତ ସରଦାନାଙ୍କ ଅକାଳ ବିୟୋଗରେ ମିଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା । ଲୋକପ୍ରିୟ ଘରୋଇ ନ୍ୟୁଜ ଚାନେଲ ଆଜ ତକ୍‌ରେ ତାଙ୍କର ଦମଦାର ସ୍ୱର ଆଉ ଶୁଣିବାକୁ ମିଳିବନି ।

ତାଙ୍କର ଅକାଳ ମୃତ୍ୟୁରେ ସତେ ଯେପରି ସ୍ତବ୍ଧ ହୋଇଯାଇଛି ସାରା ଦେଶ । ଏପରିକି ତାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରକେ ଆଜ ତକ୍ ଆଙ୍କର ନିଜର କୋହକୁ ସମ୍ଭାଳି ପାରିନଥିଲେ । ମୃତ୍ୟୁ ସମ୍ପର୍କିତ ନ୍ୟୁଜ୍ ପରିବେଷଣ କଲାବେଳେ କାନ୍ଦି ପକାଇଥିଲେ । ଆଉ କାନ୍ଦି କାନ୍ଦି ନ୍ୟୁଜ ପଢିବା ସହ ସରଦାନାଙ୍କ ସାମ୍ବାଦିକତାର ଜୀବନୀ ବଖାଣିଥିଲେ। ଯାହାକୁ ସୋସିଆଲ ମିଡ଼ିଆରେ କୋଟି କୋଟି ଲୋକ ଦେଖିଥିଲେ ଓ ସମବେଦନା ଜଣାଇଥିଲେ।

ତେବେ ଦିନ ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ ହାର୍ଟ ଆଟାକ୍ ଯୋଗୁଁ  ହୋଇଥିଲା । କିଛି ଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ନୋଏଡା ସେକ୍ଟର ୧୧ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁ ପରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କ ପରେ ଏବେ କନୁପ୍ରିୟାଙ୍କ ବିୟୋଗ ଗଣମାଧ୍ୟମ ଜଗତ ପାଇଁ ଅତ୍ୟନ୍ତ ଦୁଃଖଦାୟକ ହୋଇଛି।

You might also like