ଲାଇଭ୍‌ ସୋ ଚାଲିଥିବାବେଳେ ଭାଙ୍ଗିଗଲା ଷ୍ଟୁଡିଓ, ମୁହଁ ମାଡି ପଡ଼ିଗଲେ ଆଙ୍କର

ୱାଶିଂଟନ: ଟିଭିରେ ଚାଲିଥିଲା ଲାଇଭ ସୋ। ଏକ ଆଲୋଚନା ପାଇଁ ମଞ୍ଚ ଉପରେ ବସିଥାନ୍ତି ଅତିଥି। ଆଙ୍କର ଆଙ୍କରିଂ କରୁଛନ୍ତି। ହଠାତ୍‌ ଷ୍ଟୁଡିଓର ସେଟ ତାଙ୍କ ଉପରେ ପଡିଗଲା। ଆଙ୍କର ଜଣକ ମୁହଁ ମାଡି ତଳେ ପଡି ଯାଇଥିଲେ।  ଏମିତି ଏକ ଘଟଣା ଘଟିଛି କଲମ୍ବିଆରେ। ଏହାର ଭିଡିଓ ସୋଶିଆଲ ମିଡିଆରେ ସେୟାର ହେବା ପରେ  ଖୁବ୍‌ ଭାଇରାଲ ହୋଇଛି।

ଆଙ୍କରଙ୍କ ନାଁ କାର୍ଲୋସ ଅର୍ଡୁଜ। କଲମ୍ବିଆ ESPNରେ ଏକ ବିତର୍କ ଚାଲିଥିବାବେଳେ ପ୍ୟାନେଲରେ ବସିଥିଲେ ସେ। ସୋ’ ଚାଲିଥିବାବେଳେ ଷ୍ଟୁଡିଓର ମନିଟର ପରି ଦିଶୁଥିବା ଏକ ବଡ ଅଂଶ ହଠାତ୍‌ ତାଙ୍କ ଉପରେ ଖସି ପଡ଼ିଥିଲା। ଏହା ପରେ କାର୍ଲୋସଙ୍କ ମୁହଁମାଡି ପଡି ଯାଇଥିଲେ। ତାଙ୍କର ମୁହଁ ଡେସ୍କରେ ଖୁବ୍‌ ଜୋରରେ ମାଡ ହୋଇଯାଇଥିଲା। ସେ କିଛି ସମୟ ସେମିତି ମୁହଁ ମାଡ଼ି ହୋଇ ପଡ଼ି ରହିଥିଲେ। ଏସବୁ ଘଟଣା କ୍ୟାମେରା ସାମ୍ନାରେ ଚାଲିଥିଲା ଏବଂ ଟେଲିକାଷ୍ଟ ହେଉଥିଲା।  ତୁରନ୍ତ କ୍ୟାମେରା ଉକ୍ତ ଦୃଶ୍ୟକୁ କଟ୍‌ କରି ବତର୍କର ହୋଷ୍ଟଙ୍କୁ ଫୋକସ କରିଥିଲା। ସେ ମଧ୍ୟ ଘଟଣାରେ ସ୍ତବ୍ଧ ହୋଇଯାଇଥିଲେ। କିଛି ନ ବୁଝି ପାରି ସେ ତୁରନ୍ତ ବ୍ରେକ୍‌ ନେଇଥିଲେ। ପରେ କ୍ୟାମେରା କଟ୍‌ କରି ବ୍ରେକ ନେଇଥିଲେ। ହେଲେ ସେତେବେଳକୁ କିଛି ଅଂଶ ପ୍ରସାରିତ ହୋଇ ସାରିଥିଲା।

ଆଙ୍କର କାର୍ଲୋସଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଚେକ୍‌ ଅପ୍‌ ପରେ ସେ ସୁସ୍ଥ ଥିବା ଜଣାଯାଇଛି। ତେବେ ତାଙ୍କ ନାକରେ ଆଘାତ ଲାଗିଛି। ସେ ତାଙ୍କ ଟ୍ୱିଟର ହାଣ୍ଡେଲରେ ସ୍ପାନିଶରେ ଲେଖିଛନ୍ତି, ‘ଯେଉଁମାନେ ମୋ ଦୁର୍ଘଟଣାକୁ ନେଇ ଲେଖିଥିଲେ ଏବଂ ଚିନ୍ତିତ ଥିଲେ ସେମାନଙ୍କୁ ମୁଁ କହିବାକୁ ଚାହେଁ, ଭଗବାନଙ୍କ ଦୟାରୁ ମୁଁ ଭଲ ଅଛି। ମେଡିକାଲ ଚେକ୍‌ଅପ ପରେ ଭଲ ଥିବା ଜାଣିବାକୁ ପାଇଛି। କେବଳ ନାକରେ ସାମାନ୍ୟ ଆଘାତ ଲାଗିଛି। ଶୁଭେଚ୍ଛା ଓ ଧନ୍ୟବାଦ।’

ସେ ନିଜ ଟ୍ୱିଟରରେ ଏହି ଘଟଣାର ଭିଡିଓ ପୋଷ୍ଟ କରି ସେ ଭଲ ଥିବା ଲେଖିଛନ୍ତି। ଏହି ଘଟଣା ପରେ ଅନେକ ସ୍ପୋର୍ଟସ ଆଙ୍କର ଏବଂ ସାମ୍ବାଦିକ ଟ୍ୱିଟ କରି ତାଙ୍କର ଆରୋଗ୍ୟ କାମନା କରିଥିଲେ।

 

You might also like