‘ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀର ସୁଗନ୍ଧିତ ପାଉଡର୍‌ରୁ ହେଉଛି କ୍ୟାନ୍‌ସର୍‌’

୪. ୭ ବିଲିୟନ୍‌ ଆମେରିକୀୟ ଡଲାର କ୍ଷତିପୂରଣ ଦେବାକୁ ଆମେରିକୀୟ କୋର୍ଟ ନିର୍ଦ୍ଦେଶ

ୱାଶିଂଟନ୍: ଆଉ ନିରାପଦ ନୁହେଁ ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀର ସୁଗନ୍ଧିତ ପାଉଡର୍‌। ଏଥିରେ ମାରାତ୍ମକ ଆଜ୍‌ବେଷ୍ଟସ୍‌ ମିଶିଥିବା ଅଭିଯୋଗ ହୋଇଛି। ଆଉ ଏଥିପାଇଁ ଗର୍ଭାଶୟରେ କ୍ୟାନ୍‌ସର୍ ହେଉଥିବା ୨୨ ଜଣ ମହିଳା ଅଭିଯୋଗ କରି ଆମେରିକାର ଏକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ବିଚାର କରି କମ୍ପାନୀକୁ ୪. ୭ ବିଲିୟନ୍‌ ଆମେରିକୀୟ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀ ଅସୁରକ୍ଷିତ ସାମଗ୍ରୀ ବିକୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ସେହି ୨୨ ମହିଳାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବଡ଼ କଥା ହେଉଛି, ଉକ୍ତ ୨୨ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଗର୍ଭାଶୟ କ୍ୟାନ୍‌ସର୍‌ରେ ମୃତ୍ୟୁ ଘଟିସାରିଛି। କୋର୍ଟ ପ୍ରଥମେ ଏହି ମାମଲାରେ ୫୫୦ ମିଲିୟନ୍‌ ଆମେରିକୀୟ ଡଲାର କ୍ଷତିପୂରଣ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ବଢ଼ାଇ ୪. ୭ ବିଲିୟନ୍‌ ଆମେରିକୀୟ ଡଲାର କରିଥିଲେ।

ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀ ବିରୋଧରେ ଆଇନଜୀବୀମାନେ ଯୁକ୍ତି ବାଢ଼ିଛନ୍ତି ଯେ କଂପାନୀ ତା’ର ଉତ୍ପାଦ ଅସୁରକ୍ଷିତ ବୋଲି ୧୯୭୦ରୁ ଜାଣିଛି ।  ହେଲେ ଗ୍ରାହକମାନଙ୍କୁ ଏ ନେଇ ସତର୍କ କରାଯାଇ ନାହିଁ ।

ତେବେ ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଜନ୍‌ସନ୍‌ ପ୍ରଡକ୍ଟରେ ଆଜ୍‌ବେଷ୍ଟସ୍‌ ମିଶି ନାହିଁ ଓ ଏହାକୁ ବ୍ୟବହାର କଲେ କ୍ୟାନ୍‌ସର ହେବାର ସମ୍ଭାବନା ନାହିଁ । ଏ ନେଇ ପୂର୍ବରୁ ବହୁ ପରୀକ୍ଷା ନିରୀକ୍ଷା କରାଯାଇଛି ଓ ଏହାର ବ୍ୟବହାର ନିରାପଦ। କୋର୍ଟଙ୍କ ରାୟ ନେଇ ଜନ୍‌ସନ୍‌ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇ ‘ମୌଳିକ ଭାବେ ଅନ୍ୟାୟୋଚିତ ଓ ଅସୁନ୍ଦର ପ୍ରକ୍ରିୟା’ରେ ଦଣ୍ଡବିଧାନ ହୋଇଛି ବୋଲି କୁହାଯାଇଛି। ସେପଟେ ଆଇନଜୀବୀମାନେ ଯୁକ୍ତି ରଖିଥିଲେ ଯେ ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କଂପାନୀ ଭ୍ରମାତ୍ମକ ପ୍ରକ୍ରିୟାରେ ପରୀକ୍ଷା ନିରୀକ୍ଷା କରିଛନ୍ତି ଯାହାକୁ ଗ୍ରହଣ କରାଯାଇପାରିବ ନାହିଁ।

ଭାରତ ସମେତ ସାରା ବିଶ୍ୱରେ ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କଂପାନୀର କୋଟି କୋଟି ଗ୍ରାହକ ରହିଛନ୍ତି । ଏପରିକି ଡାକ୍ତରମାନେ ମଧ୍ୟ ଏହାର ବ୍ୟବହାର କରିବାକୁ ପରାମର୍ଶ ଦେଇଥା’ନ୍ତି । ଭାରତରେ ଜନ୍‌ସନ୍‌ ଏଣ୍ଡ୍ ଜନ୍‌ସନ୍‌ କମ୍ପାନୀର ସାବୁନ, ତେଲ ଓ ପାଉଡରର ଲୋକପ୍ରିୟତା ବହୁତ । ଶିଶୁମାନଙ୍କ ପାଇଁ ଏହା ନିରାପଦ ବୋଲି କୁହାଯାଏ । ତେଣୁ ଭାରତରେ ଏହା ପ୍ରଚୁର ମାତ୍ରାରେ ବିକ୍ରି ହୁଏ ।

 

You might also like