ନକହି ନକହି ବହୁତ କହିଲେ ଜୋ ବାଇଡେନ୍

‘ଇତିହାସର ପୃଷ୍ଠା ବଦଳାଇବାର ସମୟ’

ୱାଶିଂଟନ: ନିର୍ବାଚନରେ ଆନୁଷ୍ଠାନିକ ଭାବେ ଜିତିବା ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୱିଲମିଙ୍ଗଟନ୍ କ୍ୱିନ ଭେନ୍ୟୁରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନଙ୍କୁ ମୁଁହତୋଡ ଜବାବ ଦେଇଛନ୍ତି । ଟ୍ରମ୍ପଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ତାଙ୍କର ଏହି ଅଭିଭାଷଣକୁ ସାରା ଆମେରିକାରେ ଲୋକମାନେ ଟେଲିଭିଜନ ଜରିଆରେ ଦେଖିଥିଲେ ।

ସେ କହିଥିଲେ, ଏହି ନିର୍ବାଚନ ହେଉଛି ଆମେରିକା ଲୋକଙ୍କ ପ୍ରକୃତ ଇଛାର ସବୁଠୁ ସ୍ୱଚ୍ଛ ପ୍ରଦର୍ଶନ । ଆମ ଦେଶରେ  ନାଗରିକ କର୍ତ୍ତବ୍ୟର ଏଭଳି ପ୍ରଦର୍ଶନ ଆମେ କେବେ ଦେଖିନଥିଲେ । ଏହାକୁ ଆକ୍ରମଣ ନୁହେଁ, ପାଳନ କରାଯିବା ଉଚିତ । ପୁଣି ଥରେ ଆମେରିକାରେ ଆଇନକାନୁନ୍, ଦେଶର ସମ୍ୱିଧାନ ଓ ଲୋକଙ୍କ ଇଚ୍ଛାଶକ୍ତିର ବିଜୟ ହୋଇଛି । ଆମର ଗଣତନ୍ତ୍ରକୁ ଠେଲାଯାଇଛି, ପରୀକ୍ଷା କରାଯାଇଛି ଓ ଧମକାଯାଇଛି । କିନ୍ତୁ ପ୍ରମାଣିତ ହୋଇଛି , ଆମ ଗଣତନ୍ତ୍ର ନମନୀୟ, ସତ୍ୟ ଓ ବଳିଷ୍ଠ ।

ନିର୍ବାଚନରେ ଜାଲିଆତି  ହୋଇଥିବା ସଂପର୍କରେ ଟ୍ରମ୍ପ କରିଥିବା ଦାବିକୁ ସେ ଦୃଢ ଭାବେ ଖଣ୍ଡନ କରିଛନ୍ତି । ତାଙ୍କ ବିଜୟକୁ ଚାଲେଞ୍ଜ କରି ରିପବ୍ଲିକାନମାନେ ରୁଜୁ କରିଥିବା ଏକ ଡଜନରୁ ଅଧିକ ମାମଲାରେ ସେମାନେ ଅସଫଳ ହୋଇଛନ୍ତି । ଫଳାଫଳକୁ ନେଇ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟ୍ରମ୍ପଙ୍କ ପାଖରେ ସବୁ ପ୍ରକାର ବାଟ ଉପଲବ୍ଧ ଥିଲା । ଏ ସବୁ ବାଟର ସେ ପୂରା ଫାଇଦା ନେଇଛନ୍ତି । ସେ ଯେଉଁ ପନ୍ଥା ଆପଣେଇବାକୁ ଚାହିଁଛନ୍ତି, ତାହା ଆପଣାଇଛନ୍ତି, ତାଙ୍କୁ କେହି ମନା କରିନାହାନ୍ତି ।

ନିର୍ବାଚନ ବିଷୟକୁ ସେ ରିପବ୍ଲିକାନ ଗଭର୍ଣ୍ଣର, ରାଜ୍ୟ ସଚିବ, ବିଧାୟକ ଓ ରିପବ୍ଲିକାନଙ୍କ ଦ୍ୱାରା ନିଯୁକ୍ତ ଜଜ ମାନଙ୍କ ପାଖକୁ ନେଇ ଅସଫଳ ହୋଇଛନ୍ତି । ବେଳେ ବେଳେ ଫଳାଫଳକୁ ଗ୍ରହଣ କରିବା ଆମ ପାଇଁ କଠିନ ହୋଇଥିଲେ ବି ଲୋକଙ୍କ ଇଛାକୁ ସମ୍ମାନ ଦେବା ହେଉଛି ଆମ ଗଣତନ୍ତ୍ରର ହୃଦୟ । ଆମ ସମ୍ୱିଧାନକୁ ବଜାୟ ରଖିବା ଲାଗି କର୍ତ୍ତବ୍ୟ କରିବାକୁ ଯେଉଁମାନେ ଶପଥ ନେଇଛନ୍ତି, ଏହା ସେମାନଙ୍କ ଦାୟିତ୍ୱ ।

୨୦୧୬ ମସିହାରେ ଟ୍ରମ୍ପ ଯେତିକି ଭୋଟ ପାଇଥିଲେ, ଏବେ ସେ ନିଜେ ସେତିକି ଭୋଟ ପାଇଛନ୍ତି ବୋଲି ବାଇଡେନ୍  କହିଛନ୍ତି । ଏହି ବିଜୟକୁ ଟ୍ରମ୍ପ ସେତେବେଳେ ବୃହତ୍ ବିଜୟ ବୋଲି କହିଥିଲେ । ଏବେ ମୁଁ ବିନମ୍ରତାର ସହ କହୁଛି, ଟ୍ରମ୍ପ ବର୍ତ୍ତମାନ ତାହା ହିଁ କୁହନ୍ତୁ । ବିଜୟକୁ ପ୍ରମାଣସିଦ୍ଧ ନ କରିବା ପାଇଁ ଟ୍ରମ୍ପ ଯେଉଁ ଭୟ ଦେଖାଉଥିଲେ, ତାହାକୁ ମୁଁ ନିନ୍ଦା କରୁଛି ବୋଲି ବାଇଡେନ କହିଛନ୍ତି।

ଏହି ଭୟକୁ ଖାତିର ନକରି ଯେଉଁ ଅଧିକାରୀମାନେ ଦାମ୍ଭିକତାର ସହ ଯାହା ଠିକ୍ ତାହା କରିଛନ୍ତି , ସେମାନଙ୍କର ବାଇଡେନ୍ ପ୍ରଶଂସା  କରିଛନ୍ତି । ଏହି ନିର୍ବାଚନ ଅବାଧ ଓ ମୁକ୍ତ ଥିଲା ବୋଲି ସେମାନେ ଜାଣିଛନ୍ତି । ଏହି ନିର୍ବାଚନ ଏଇଥିପାଇଁ ଉଲ୍ଲେଖନୀୟ ଯେ, ଚାପ , ନାଲିଆଖି ଓ ଗାଳିଗୁଲଜକୁ କେହି ଡରି ନାହାନ୍ତି । ନିର୍ବାଚନରେ ଆମେ ଆଉ ଏଭଳି ଘଟଣା ଦେଖିବା ନାହିଁ ବୋଲି ବାଇଡେନ୍ ଆଶା ପ୍ରକାଶ କରିଛନ୍ତି । ଗତ ଶୁକ୍ରବାର ଦିନ ଟ୍ରମ୍ପଙ୍କ ପକ୍ଷରୁ ଆଗତ  ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଆମ ନିର୍ବାଚନର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିଛି ଓ ଇତିହାସର ପୃଷ୍ଠା ବଦଳାଇବାର ସମୟ ଆସିଛି ବୋଲି ବାଇଡେନ୍ ଆମେରିକାବାସୀଙ୍କୁ କହିଛନ୍ତି ।

You might also like