ଆସନ୍ତାକାଲି ଶପଥ ନେବେ ବାଇଡେନ୍

ନୂଆ ସରକାର ଗଢିବାକୁ ଯାଉଛି ଆମେରିକା

ନୂଆଦିଲ୍ଲୀ: ଜାନୁଆରୀ ୨୦ତାରିଖ ୪ ବର୍ଷ ପରେ ପୁଣି ନୂଆ ସରକାର ଗଢିବାକୁ ଯାଉଛି ଆମେରିକା। ଦେଶର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଯୋଶେଫ ଆର ବାଇଡେନ୍ ଜୁନିଅର। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ କ୍ଷମତାଶାଳୀ ରାଷ୍ଟ୍ରର ସର୍ବେସର୍ବା ଯାହାର ଇସାରାରେ ଚାଲିବ ସାରା ବିଶ୍ୱ। ଆମେରିକାରେ ଅର୍ଥନୈତିକ ସଂଘର୍ଷ ଓ ସାଂସ୍କୃତିକ ଉତ୍ତେଜନା ଭିତରେ ନୂଆ ସରକାର ଦାୟିତ୍ୱ ନେବ ବାଇଡେନଙ୍କ ଶପଥ ଉତ୍ସବ ଭାରତ ଓ ଭାରତୀୟଙ୍କ ପାଇଁ ଐତିହାସିକ ହେବାକୁ ଯାଉଛି।

କାରଣ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ଉପରାଷ୍ଟ୍ରପତି ପଦରେ ବସିବେ ଭାରତୀୟ ବଂଶୋଦ୍ଭବ କମଲା ହାରିସ। ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ଲାଗି ଆମେରିକୀୟ ସଂସଦୀୟ ପରମ୍ପରା ଅନୁସାରେ ସମସ୍ତ ପ୍ରସ୍ତୁତି ସରିଛି। ହ୍ୱାଇଟହାଉସ ଓ କ୍ୟାପିଟଲ ହିଲ୍ ଚାରିପାଖରେ ୨୫ ହଜାର ସୁରକ୍ଷା କର୍ମୀଙ୍କୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ତେବେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍ ଶପଥ ଉତ୍ସବରେ ଯୋଗ ଦେଉନଥିବାରୁ, ଉପରାଷ୍ଟ୍ରପତି ମାଇକ୍ ପେନ୍ସ ହିଁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ପୁରା କରିବେ।

ନୂଆ ସରକାର ଗଢୁଛି ଆମେରିକା। ଆଉ ବାଇଡେନଙ୍କ ଉପରେ ରହିଛି ଭାରତର ନଜର। ଭାରତ ପ୍ରତି କିଭଳି ଆଭିମୁଖ୍ୟ ରଖିବ ଆମେରିକାର ନୂଆ ସରକାର ? ପାକିସ୍ତାନ ପ୍ରତି ନରମ ହେବେ ନା କଠୋର ଆଭିମୁଖ୍ୟ ଗ୍ରହଣ କରିବେ ବାଇଡେନ୍। ଏହାସହ ଚୀନ୍ ପ୍ରତି ଆମେରିକାର ନୀତି କଣ ରହିବ ? ବିସ୍ତାରବାଦୀ ଚୀନର ପ୍ରଭାବ ହ୍ରାସ ଲାଗି ବିଦାୟୀ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭଳି ବାଇଡେନ ଟିମ୍ ଭାରତ ସହ ସହଯୋଗ ରଖିବ ନା ଆଭିମୁଖ୍ୟ ବଦଳାଇବ ତା ଉପରେ ନଜର ରହିଛି।

ବାଇଡେନଙ୍କ ଶପଥ ସମାରୋହକୁ ସ୍ମରଣୀୟ କରିବାକୁ ସବୁ ବ୍ୟାପକ ଆୟୋଜନ ହୋଇଛି। ଅପରାହ୍ଣ ୩ଟାରେ ଡ୍ରମର ତାଳେ ତାଳେ ପରେଡ୍ ମଧ୍ୟରେ ହ୍ୱାଇଟ ହାଉସ ଯିବେ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଲା ହାରିସ। ଶପଥ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ଜେନିଫର ଲୋପେଜ, ଲେଡି ଗାଗା, ଟମ୍ ହ୍ୟାଙ୍କସ, ଜଷ୍ଟିନ ଟିମ୍ବରଲେକ୍ ଓ ଗାର୍ଟ ବ୍ରୁକ୍ସଙ୍କ ଭଳି ସେଲିବ୍ରିଟି।

ଫକ୍ସ, ଏବିସି, ସିଏନଏନ୍, ଆମାଜନ୍ ପ୍ରାଇମ ଭିଡିଓ ଏବଂ ସୋସିଆଲ ମିଡିଆରେ ପ୍ରସାରଣ ହେବ ସ୍ପେଶାଲ ସୋ। ତେବେ ଶପଥଗ୍ରହଣ ଉତ୍ସବ ପୂର୍ବରୁ ହ୍ୱାଇଟହାଉସ ଓ କ୍ୟାପିଟଲ ହିଲ ନିକଟରେ ଦେଖିବାକୁ ମିଳିଛି ଭାରତୀୟ କଳାକୃତ୍ତିର ଝଲକ। ବାଇଡେନ ଓ କମଳା ହାରିସଙ୍କ ଶୁଭ ମନାଶି ଅଙ୍କା ଯାଇଛି କୋଲାମ ଚିତ୍ର। ମୋଟ ଉପରେ ବାଇଡେନଙ୍କ ଶାସନ କେମିତି ରହୁଛି ତାହା ଦେଖିବାକୁ ବାକି ରହିଲା ।

ଶିବାନନ୍ଦ ରାଉତ ଓ ବଳରାମ ମହାନ୍ତିଙ୍କ ରିପୋର୍ଟ

You might also like