ଆସନ୍ତାକାଲି ଶପଥ ନେବେ ବାଇଡେନ୍, କିଏ କରିବ କ୍ଷମତା ହସ୍ତାନ୍ତର ?

ୱାଶିଂଟନ: ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍ । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍‌। ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ଲାଗି ଆମେରିକୀୟ ସଂସଦୀୟ ପରମ୍ପରା ଅନୁସାରେ ଚାଲିଛି ପ୍ରସ୍ତୁତି । ହ୍ୱାଇଟହାଉସ ଓ କ୍ୟାପିଟଲ ହିଲ୍ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ତେବେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍ ଶପଥ ଉତ୍ସବରେ ଯୋଗ ଦେଉନଥିବାରୁ, ଉପରାଷ୍ଟ୍ରପତି ମାଇକ୍ ପେନ୍ସ ହିଁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ପୁରା କରିବେ।

କ୍ୟାପିଟଲ ହିଲ ହିଂସା ପରେ ବାଇଡେନଙ୍କୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ଲାଗି ପଦକ୍ଷେପ ନେଇଛନ୍ତି ଉପରାଷ୍ଟ୍ରପତି ମାଇକ୍ ପେନ୍ସ । ସେ ଗତ ଗୁରୁବାର ଉତ୍ତରାଧିକାରୀ କମଲା ହାରିସଙ୍କୁ ଫୋନ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଶପଥ ଗ୍ରହଣ ଉତ୍ସବକୁ ଯିବା ଲାଗି ଏୟାରଫୋର୍ସ ଟୁ ବିମାନ ବ୍ୟବହାର କରିବାକୁ ବିଧି ଅନୁଯାୟୀ କମଲାଙ୍କୁ ଅନୁରୋଧ କରିଥିଲେ ପେନ୍ସ।

ନିର୍ବାଚନ ଫଳାଫଳଙ୍କୁ ଅସିଦ୍ଧ ଘୋଷଣା କରି ତାଙ୍କୁ ବିଜୟୀ କରାଯାଉ ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପୂର୍ବରୁ ଦାବି କରିଥିଲେ।  ଏମିତିକି ତାଙ୍କ  ଆହ୍ୱାନରେ ରିପବ୍ଲିକାନ ପାର୍ଟିର ସମର୍ଥକ କ୍ୟାପିଟଲ ହିଲକୁ ନିଜ କବ୍‌ଜା ନେଇ ଯାଇଥିଲେ । ମାତ୍ର ସର୍ବ ପୁରାତନ ଗଣତନ୍ତ୍ରର ଗାରିବା ବଜାୟ ରଖି ଉପରାଷ୍ଟ୍ରପତି ପେନ୍ସ ବାଇଡେନଙ୍କୁ ବିଜୟୀ ଘୋଷଣା କରିଥିଲେ । ଫଳରେ ତାଙ୍କୁ ରିବପ୍ଲିକାନ ପାର୍ଟି ସମର୍ଥକଙ୍କ ରୋଷର ଶିକାର ହେବାକୁ ପଡିଥିଲା ।

ଏମିତିକି ସୁରକ୍ଷା ବଳୟ ଭିତରେ ତାଙ୍କୁ କ୍ୟାପିଟଲ ହିଲ୍‌ରୁ ସୁରକ୍ଷିତ ସ୍ଥାନାକୁ ନିଆଯାଇଥିଲା । ଏହାସତ୍ତ୍ୱେ ନିଜ ପଦ ମର୍ଯ୍ୟାଦାର ମହନୀୟତା ବଜାୟ ରଖିବା ସହ ସେ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ନିଜ କର୍ତ୍ତବ୍ୟ ସଂପାଦନ କରିଥିଲେ।  ସେପଟେ ରାଷ୍ଟ୍ରପତି ଟ୍ରମ୍ପ ବାଇଡେନଙ୍କ ଶପଥ ଉତ୍ସବରେ ଯୋଗ ଦେବେନାହିଁ ବୋଲି ଘୋଷଣା କରିସାରିଛନ୍ତି । ତେଣୁ ଚାଙ୍କ ସ୍ଥାନରେ ପେନ୍ସ ହିଁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ପୁରା କରିବେ।

ଏଣେ ଆମେରିକା ରାଷ୍ଟ୍ରପତି ଶପଥଗ୍ରହଣ ଉତ୍ସବ ପୂର୍ବରୁ ହ୍ୱାଇଟହାଉସ ଓ କ୍ୟାପିଟଲ ହିଲ ନିକଟରେ ଦେଖିବାକୁ ମିଳିଛି ଭାରତୀୟ କଳାକୃତ୍ତିର ଝଲକ । ବାଇଡେନ ଓ କମଳା ହାରିସଙ୍କ ଶୁଭ ମନାସି ଅଙ୍କା ଯାଇଛି କୋଲାମ ଚିତ୍ର । ସୁଖ ଓ ସମୃଦ୍ଧି କାମନା କରି ତାମିଲନାଡୁର ଘରେ ଘରେ ଏହି ଚିତ୍ର ଅଙ୍କା ଯିବାର ପରମ୍ପରା ରହିଛି । ୧୮ ଶହ ଆମେରିକାୟ ଓ ଭାରତୀୟ କଳାକାରଙ୍କୁ ନେଇ ଏହି ଚିତ୍ର ପ୍ରସ୍ତୁତ କରାଯାଇଛି। ଏହାର ଥିମ୍ ରହିଛି ପ୍ରସିଡେଣ୍ଟ ଫର ଅଲ୍ ଅର୍ଥାତ୍ ସମସ୍ତଙ୍କର ରାଷ୍ଟ୍ରପତି ।

You might also like