କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇ ଭାରତର ଋଣ ସୁଝିଲା ଆମେରିକା

ନୂଆଦିଲ୍ଲୀ: ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମେ’ ୧ ତାରିଖରୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।  ତେଣୁ ଦେଶରେ ପର୍ଯ୍ୟାନ୍ତ ପରିମାଣର ଟିକାର ଆବଶ୍ୟକ ରହିଛି। ଅନ୍ୟପକ୍ଷେ ପର୍ଯ୍ୟାପ୍ତ ଟିକା ନ ଥିବାରୁ ଅନେକ  ଟିକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷେ ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଛି। ଏପରି ସ୍ଥିତିରେ ଭାରତକୁ ସହୟତାର ହାତ ବଢାଇଛି ଆମେରିକା। ବିପତ୍ତି ସମୟରେ ଭାରତକୁ ସାହାଯ୍ୟ କରି ଋଣ ସୁଝିଛି ବୋଲି କହିଛି ଆମେରିକା।

ଦେଶରେ କରୋନା ଟିକା କୋଭିସିଲ୍‌ଡ ଅଧିକରୁ ଅଧିକ ଉତ୍ପାଦନ କରିବା ଲାଗି ଆମେରିକା ଆବଶ୍ୟକୀୟ କଞ୍ଚା ମାଲ୍ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଆଜି ଏନେଇ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିବାନ୍ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଛନ୍ତି । ଟିକା ଉତ୍ପାଦନ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସୁଲିବାନ୍ ଏହି ଆଲୋଚନା ବେଳେ ରାଜି ହୋଇଛନ୍ତି ।

ଏହାସହ କରୋନା ଟେଷ୍ଟିଂ କିଟ୍, ଭେଣ୍ଟିଲେଟର ଓ ପିପିଇ କିଟ୍ ଯୋଗାଇ ଦେବାକୁ ମଧ୍ୟ କଥା ଦେଇଛନ୍ତି।  କେବଳ ଏତିକି ନୁହେଁ, ଅମ୍ଳଜାନ ଉତ୍ପାଦନ ଲାଗି ଦରକାର ହେଉଥିବା ଉପକରଣ ମଧ୍ୟ ଦେବାକୁ ସେ କହିଛନ୍ତି । ଏନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଳା ହାରିସ ଭାରତକୁ ସହାୟତାର ହାତ ବଢାଇବେ ବୋଲି ଟୁଇଟ୍‌ କରି ଆଶ୍ୱାସନା ଦେଇଛନ୍ତି। ବାଇଡେନ୍‌ ଟୁଇଟ୍‌ କରି କହିଛନ୍ତି, ‘ ଯେମିତି ଭାରତ ସଂଯୁକ୍ତ ରାଜ୍ୟ ଆମେରିକାକୁ ଆବଶ୍ୟକ ସମୟରେ ସହାୟତାର ହାତ ବଢାଇଥିଲା ସେହିପରି ଆମେ ମଧ୍ୟ ଭାରତର ଆବଶ୍ୟକତା ସମୟରେ ଆମେ ନିଶ୍ଚୟ ସାହାଯ୍ୟ କରିବୁ। ’

ଆମେରିକା ରାଷ୍ଟ୍ରପତିଙ୍କ ଅଧିକାରିକ ଟୁଇଟର ହାଣ୍ଡେଲରୁ ଆମେରିକାର ଏନଏସଏ ଟୁଇଟ ଉପରେ ପ୍ରତିକ୍ରିୟା ଦେଇ କୁହାଯାଇଛି, ‘ମହାମାରୀ ଆରମ୍ଭ ସମୟରେ ଭାରତ ଆମକୁ ସହାୟତା କରିଥିଲା, ଆମେ ମଧ୍ୟ ସେହିପରି ଆବଶ୍ୟକ ସମୟରେ ଭାରତକୁ ସାହାଯ୍ୟ କରିବା ପାଇଁ ସଙ୍କଳ୍ପିତ ଅଟୁ।’

ଏଥି ସହିତ କମଲା ହାରିସ ମଧ୍ୟ ଏ ସମ୍ପକିରେ ଏକ ଟୁଇଟ କରିଛନ୍ତି। ହାରିସ କହିଛନ୍ତି, ‘ସହାୟତା କରିବା ସହ ଆମେ ଭାରତର ନାଗରିକ ଏବଂ ସାହସୀ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ।’

ଏଠି କହରଖିବୁ, ଏହା ପୂର୍ବରୁ ଆମେରିକା ରାଷ୍ଟ୍ରିୟ ସୁରକ୍ଷା ପରମର୍ଶଦାତା ଜେକ୍‌ ସୁଲିବାନ ଏବଂ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ମଧ୍ୟରେ ଏ ନେଇ ପୂର୍ବରୁ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲା। ଏହି କଥାବାର୍ତ୍ତା ପରେ ଆମେରିକା ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

 

 

You might also like