ଭାରତୀୟ ବଂଶୋଦ୍ଭବଙ୍କୁ ବାଇଡେନ୍ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ମାଲା ଅଡିଗାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ଏହି ଆମେରିକୀୟ-ଭାରତୀୟ ମହିଳା ମାଲା ଆଗକୁ ଆମେରିକାର ହେବାକୁ ଥିବା ପ୍ରଥମ ମହିଳା ଜିଲ୍ ବାଇଡେନ୍ଙ୍କର ନୀତି ନିର୍ଦ୍ଦେଶକ ଭାବେ ଦ୍ୱାୟିତ୍ୱ ତୁଲାଇବେ।
ଜିଲ୍ ଆମେରିକାରେ ଶିକ୍ଷା ଏବଂ କମ୍ୟୁନିଟି ଟିଚିଙ୍ଗ୍ ବା ସାମୂହିକ ଶିକ୍ଷାଦାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେଣୁ ଦେଶରେ ଶିକ୍ଷା ନୀତିକୁ ନେଇ ଅନୁଭବୀ ମାଲାଙ୍କୁ ଏହି ଦ୍ୱାୟିତ୍ୱ ଦିଆଯାଇଛି।
ମାଲା ଏହା ପୂର୍ବରୁ ଜିଲ୍ଙ୍କର ମୁଖ୍ୟ ପରାମର୍ଶଦାତା ରହି ସାରିଛନ୍ତି। ଏହା ସହିତ ସେ ବାଇଡେନ୍ଙ୍କ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନରେ ବରିଷ୍ଠ ଯୋଜନା ଉପଦେଷ୍ଟା ଭାବେ କାର୍ଯ୍ୟ ତୁଲାଇଛନ୍ତି।
ମାଲା ବାଇଡେନ୍ଙ୍କର ଉଚ୍ଚ ଶିକ୍ଷା ଏବଂ ସୈନ୍ୟ ପରିବାର ପାଇଁ ଚାଲୁ ରହିଥିବା ଫାଉଣ୍ଡେସନ୍ରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସାରିଛନ୍ତି। ଓବାମା ଶାସନ ସମୟରେ ସେ ସହକାରୀ ଆଟର୍ଣ୍ଣି ଜେନେରାଲ୍ଙ୍କର ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।