ଜିଲ୍‌ଙ୍କୁ ମ୍ୟାରେଜ୍‌ ପାଇଁ ୪ ଥର ପ୍ରପୋଜ କରିଥିଲେ ବାଇଡେନ୍

ୱାଶିଂଟନ୍: ‘ଜୋ ବାଇଡେନ’ ନାଁଟି ଏବେ ସାରା ବିଶ୍ୱରେ ଜଣାଶୁଣା। ଛୋଟ ପିଲା ହୁଅନ୍ତୁ କି ବୟସ୍କ ସମସ୍ତେ ଜାଣନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ହେଉଛନ୍ତି ଜୋ ବାଇଡେନ। ହେଲେ ବାଇଡେନଙ୍କ ବିଷୟରେ ଆମେ କହୁଛୁ ଏମିତି କଥା ଯାହାକୁ ଜାଣିନଥିବେ ଅନେକ। ଆପଣମାନେ ଦେଖିଥିବେ ଜୋ ବାଇଡେନ ଯେଉଁଦିନ ଆମେରିକା ରାଷ୍ଟ୍ରପତି ହେଲେ ସେଦିନ ସାଙ୍ଗରେ ଥିଲେ ଜଣେ ମହିଳା। ସବୁବେଳେ ବାଇଡେନଙ୍କ କାନ୍ଧରେ କାନ୍ଧ ମିଳାଇ ଏହି ମହିଳା ଜଣକ ଆଗକୁ ଆସିଥାନ୍ତି। ଯାହାଙ୍କ ନାଁ ଜିଲ ବାଇଡେନ। ସେ ହେଉଛନ୍ତି ଜୋ ବାଇଡେନଙ୍କ ଜୀବନ ସଙ୍ଗିନୀ।

ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏବେ ୭୮ ବର୍ଷ। ଆଉ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନଙ୍କୁ ୬୯ ବର୍ଷ। ଜୋ-ଜିଲ ନାଁ ଯେମିତି, ସଂପର୍କ ମଧ୍ୟ ସେମିତି। ଉଭୟଙ୍କ ମଧ୍ୟରେ ରହିଛି ଘନିଷ୍ଠ ସମ୍ପର୍କ। ଯେମିତି କି ଜୋଙ୍କୁ ଘଣ୍ଟାଏ ନ ଦେଖିଲେ ବିଚଳିତ ହୋଇ ପଡନ୍ତି ଜିଲ। ଆଉ ଜିଲଙ୍କୁ ସାଙ୍ଗରେ ନେବାକୁ ବେଶ ପସନ୍ଦ କରିଥାନ୍ତି ଜୋ ବାଇଡେନ। କାରଣ ଜିଲଙ୍କୁ ପାଞ୍ଚ ଥର ପ୍ରସ୍ତାବ ଦେଇ ଶେଷରେ ବିବାହ କରିଛନ୍ତି ବାଇଡେନ। ସେଇଥି ପାଇଁ ଜିଲଙ୍କ ପ୍ରତି ରହିଛି ଜୋ ବାଇଡେନଙ୍କ ଅଜସ୍ର ଭଲ ପାଇବା। ଏବେ ଜାଣନ୍ତୁ ଜୋ-ଜିଲଙ୍କ ପ୍ରେମ କାହାଣୀ।

ଜୋ-ଜିଲ ବାଇଡେନ ଉଭୟେ ଉଭୟଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ସତ। ହେଲେ ତାଙ୍କ ଭଲ ପାଇବା ଦେଖିଲେ ଯେ କେହି ଆଶ୍ଟର୍ଯ୍ୟ ହେବା ନିଶ୍ଟିତ। ଏବେ ଜାଣନ୍ତୁ କେମିତି ଜିଲଙ୍କୁ ପ୍ରେମରେ ବାନ୍ଧି ଜୀବନ ସାଥୀ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

୧୯୭୨ ମସିହାର କଥା। ବାଇଡେନଙ୍କ ଜୀବନରେ ଘଟିଥିଲା ବଡ ଅଘଟଣ। ଯେତେବେଳେ ପ୍ରଥମ ଥର ସେ ସିନେଟର ଭାବରେ ନିର୍ବାଚିତ ହୋଇଥିଲେ ସେତେବେଳେ ତାଙ୍କ ପାଖକୁ ଆସିଥିଲା ଏକ ହୃଦୟ ବିଦାରକ ଫୋନ କଲ। ଯାହାକୁ ଶୁଣିବା ପରେ ତାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏକ ଦୁର୍ଘଟଣାରେ ତାଙ୍କର ପ୍ରଥମ ପତ୍ନୀ ନୀଲିଆ ହଣ୍ଟରଙ୍କ ମୃତ୍ୟୁ ଘଟିଥିଲା। ଏହା ସହ ଏକ ବର୍ଷର ଝିଅ ନାଓମୋ ବି ଜୀବନ ହରାଇ ଥିଲେ। ତେବେ ଚାରି ବର୍ଷର ପୁଅ ବିଉ ଓ ତିନି ବର୍ଷର ପୁଅ ହଣ୍ଟର ବଞ୍ଚି ଯାଇଥିଲା। ଏହା ପରେ ଦୁଃଖରେ ଭାଙ୍ଗି ପଡିଥିଲେ ବାଇଡେନ। ପତ୍ନୀଙ୍କ ମୃତ୍ୟୁ ପରେ ନିଜର ଦୁଇ ପିଲାଙ୍କ ଯତ୍ନ ନେବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡିଲା। ଏମିତି କି ପ୍ରତିଦିନ ବାଇଡେନଙ୍କୁ ୱାଶିଂଟନରୁ ସେ ରହୁଥିବା ୱିଲମିଙ୍ଗଟନ ଯିବା ଆସିବା କରିବାକୁ ପଡୁଥିଲା। ତିନି ବର୍ଷ ଏମିତି କଟିବା ପରେ ଜିଲଙ୍କ ସହ ତାଙ୍କ ଭେଟ ହୋଇଥିଲା।

 

View this post on Instagram

 

A post shared by Joe Biden (@joebiden)

ଜୋ ବାଇଡେନଙ୍କୁ ଭେଟିବା ପୂର୍ବରୁ ଜିଲ ବିବାହ କରିଥିଲେ। ବିବାହର ମାତ୍ର ଚାରି ବର୍ଷ ପରେ ସ୍ୱାମୀ ବିଲ ଷ୍ଟିଭେନ୍ସନଙ୍କଠାରୁ ସେ ଅଲଗା ହୋଇ ଯାଇଥିଲେ। ନିଜ କ୍ୟାରିଅରକୁ ଭଲ ପାଉଥିବା ଜିଲ ଆଉ ବିବାହ ବନ୍ଧନରେ ବାନ୍ଧି ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। କେବଳ ଜୋଙ୍କ କଷ୍ଟକୁ ସହି ନ ପାରି ତାଙ୍କ ଦୁଇ ପିଲାଙ୍କ ଲାଳନ ପାଳନ ଭାର ଜିଲ ନିଜେ ବହନ କରିଥିଲେ। ଖୁବ ଆଗ୍ରହ ଓ ନିଷ୍ଠାର ସହ ସେ ଏହା କରୁଥିବା ଦେଖି ଜିଲଙ୍କୁ ଭଲ ପାଇବାକୁ ବସିଲେ ଜୋ ବାଇଡେନ। ଏମିତିକି ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ବାରମ୍ୱାର ବାଇଡେନଙ୍କ ପ୍ରସ୍ତାବକୁ ଅଣଦେଖା କରିବା ପରେ ଶେଷରେ ୧୯୭୭ରେ ଜିଲ-ଜୋ ବାଇଡେନଙ୍କ ବିବାହ ହୋଇଥିଲା।

ଉଭୟ ହନିମୁନରେ ଯିବା ବେଳେ ଦୁଇ ପୁଅଙ୍କୁ ବି ସାଙ୍ଗରେ ନେଇ ଯାଇଥିଲେ। ବିବାହର ୪ ବର୍ଷ ପରେ ଜିଲଙ୍କର ଏକ ଝିଅ ହୋଇଥିଲା। ଆଉ ସେହି ବର୍ଷ ଅର୍ଥାତ ୧୯୮୧ ମସିହାରେ ଜିଲ ମାଷ୍ଟର ଅଫ ଏଜୁକେସନ ଡିଗ୍ରୀ ହାସଲ କରିଥିଲେ। ପରେ ପିଲାଙ୍କ ପାଠ ପଢାକୁ ସହଜ କରିବା ପାଇଁ ସେ ଇଂରାଜୀରେ ଏମଏ ପଢ଼ିବା ସହ ୧୯୮୭ରେ ଏମଏ ଡିଗ୍ରୀ ହାସଲ କରିଥିଲେ।

ଦୀର୍ଘ ଦୁଇ ଦଶକ ସିନେଟର ରହିବା ପରେ ୧୯୮୮ରେ ପ୍ରଥମ ଥର ଡେମୋକ୍ରାଟିକ ପ୍ରାର୍ଥୀର ରାଷ୍ଟ୍ରପତି ପଦ ପାଇଁ ନିଜକୁ ଘୋଷଣା କରିଥିଲେ ଜୋ ବାଇଡେନ। ସେତେବେଳେ ଜିଲ ତାଙ୍କ କାନ୍ଧରେ କାନ୍ଧ ମିଳାଇ ପ୍ରଚାର କରିଥିଲେ। କିନ୍ତୁ ଜୋଙ୍କୁ ନିଜ ଦାବି ପ୍ରତ୍ୟାହାର କରି ନେବାରୁ ପ୍ରୟାସ ସଫଳ ହୋଇ ପାରି ନଥିଲା।

୨୦୦୮ ମସିହାରେ ବାରାକ ଓବାମାଙ୍କ ଟିକେଟରେ ଜୋ ବାଇଡେନ ଆମେରିକାର ଉପରାଷ୍ଟ୍ରପତି ଭାବରେ ନିର୍ବାଚନ ଜିତିଥିଲେ। ହେଲେ ୨୦୧୫ରେ ଉଭୟଙ୍କ ଜୀବନରେ ଘଟିଥିଲା ଆଉ ଏକ ଅଘଟଣ। ମସ୍ତିଷ୍କ କର୍କଟ ରୋଗରେ ବଡ଼ ପୁଅ ବିଉର ମୃତ୍ୟୁ ହୋଇଥିଲା। ବିଉଙ୍କ ମୃତ୍ୟୁରେ ପୂରା ଭାଙ୍ଗି ପଡିଥିଲେ ଜିଲ। ଏହି ଅଘଟଣ ପରେ ଜୋ-ଜିଲଙ୍କ ସଂପର୍କ ଆହୁରି ମଜବୁତ ହୋଇଛି। ଏବେ ବାଇଡେନଙ୍କ ପାଇଁ ପରିବାର ଆଗ, ପରେ ଅନ୍ୟ ସବୁ। ସବୁ ବେଳେ ବାଇଡେନଙ୍କ କାର୍ଯ୍ୟକଳାପରେ ଏହା ପ୍ରତିଫଳିତ ହେଉଛି। ସେ ପ୍ରଚାର ହେଉଛି ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ। ସବୁଠି କାନ୍ଧକୁ କାନ୍ଧ ମିଳାଇ, ହାତରେ ହାତ ମିଶାଇ ଆଗକୁ ବଢିଥାନ୍ତି ଜୋ-ଜିଲ ବାଇଡେନ।

ବ୍ୟୁରୋ ରିପୋର୍ଟ, ଓଟିଭି।

You might also like