ଦିଲ୍ଲୀ ହିଂସାକାଣ୍ଡର ଅଭିଯୁକ୍ତ ତଥା JNU ଛାତ୍ର ଉମର ଖାଲିଦଙ୍କୁ ଜାମିନ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଗୁରୁବାର ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀର କଡ଼କଡ଼ଡ୍ଡୁମା କୋର୍ଟ ଉମର ଖାଲିଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟ ଖାଲିଦଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ଉମର ଖାଲିଦ ନିଜ ମୋବାଇଲରେ ଆରୋଗ୍ୟ ଆପ୍ ଡାଉନଲୋଡ କରିବେ। ଏହାସହ ତାଙ୍କ ଫୋନ ସବୁବେଳେ ଅନ୍ ରଖିବାକୁ ବାଧ୍ୟ। ସୂଚନାଯୋଗ୍ୟ ଯେ ଡିସେମ୍ବର ୨୦୨୦ ରେ ଦିଲ୍ଲୀ ପୋଲିସ ଉମର ଖାଲିଦଙ୍କୁ ଏହି ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ମାଧ୍ୟମରେ ଅଭିଯୁକ୍ତ ଦର୍ଶାଇଥିଲା। ଏହି ମାମଲାରେ ତାଙ୍କୁ ପ୍ରଥମ ଥର ପାଇଁ ଜାମିନ ମିଳିଛି।

ଜାମିନ ଦେବା ସହ କୋର୍ଟ କହିଛନ୍ତି ଯେ ଉମର ଖାଲିଦଙ୍କୁ କୋର୍ଟଙ୍କ ପ୍ରତ୍ୟେକ ତାରିଖରେ ହାଜର ହେବାକୁ ପଡ଼ିବ। ଏଥିସହ, ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ କିମ୍ବା ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିବେ ନାହିଁ। ଖାଲି ସେତିକି ନୁହେଁ ସମାଜରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ରକ୍ଷା କରିବାରେ ସହଯୋଗ କରିବେ। କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ଖଜୁରୀ ଖାସର ଏସଏଚଓଙ୍କୁ ନିଜର ମୋବାଇଲ ନମ୍ବର ଦେବେ ଏବଂ ସେ ପ୍ରତ୍ୟେକ ମୂହୁର୍ତ୍ତରେ ନିଜ ମୋବାଇଲ ଅନ ରଖିବାକୁ ବାଧ୍ୟ।

ଏହି ସମୟ ମଧ୍ୟରେ କୋର୍ଟ ଏହାମଧ୍ୟ କହିଛନ୍ତି ଯେ, ଉମର ଖାଲିଦଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜେଲରେ ରଖାଯାଇପାରିବ ନାହିଁ। କାରଣ ତାଙ୍କର ପରିଚୟ ମିଳିସାରିଛି। ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।

Umar Khalid

୨୦୨୦ ମସିହା ଦିଲ୍ଲୀ ହିଂସାକାଣ୍ଡର ଷଡଯନ୍ତ୍ରକାରୀ ହୋଇଥିବା ସନ୍ଦେହରେ ଦିଲ୍ଲୀ ପୋଲିସ ଉମର ଖାଲିଦଙ୍କ ବିରୋଧରେ UAPA ଅଧୀନରେ ଏକ ଚାର୍ଜସିଟ ଦାଖଲ କରିଥିଲା। ଚାର୍ଜସିଟ୍ ଅନୁଯାୟୀ, ୨୦୧୬ ମସିହାରେ ଜେଏନୟୁରେ ‘ଭାରତ ତେରେ ଟୁକଡ଼େ ହୋଙ୍ଗେ, ଇନ୍ସହା ଆଲ୍ଲା ଇନ୍ସ ଆଲ୍ଲା’ ନାରା ଦେଇଥିଲେ ଉମର ଖାଲିଦ। ଏହାସହ ସେ ୨୦୨୦ ରେ ଅପରାଧିକ ଷଡଯନ୍ତ୍ର ରଚିଥିଲେ ଏବଂ ସେତେବେଳେ ‘ତେରା ମେରା ରିସ୍ତା କ୍ୟା ହେ, ଇନ୍ସ ଆଲ୍ଲା ଇନ୍ସ ଆଲ୍ଲା’ ନାରା ଦେଇଥିଲେ।

ଏହା ସହିତ ଦିଲ୍ଲୀ ପୋଲିସ ଏହି ଚାର୍ଜସିଟରେ ଅନେକ ପ୍ରମାଣ ମଧ୍ୟ ଯୋଡ଼ିଥିଲା। ଯେମିତିକି ଫୋନ୍ କଲ୍ ବିବରଣୀ, ଫଟୋ, ହ୍ୱାଟସ୍ ଆପ୍ ଚାଟ୍ ଇତ୍ୟାଦି। ପୋଲିସର କହିବାନୁଯାୟୀ, ଦିଲ୍ଲୀରେ ହୋଇଥିବା ହିଂସା ଘଟଣାକୁ ଉମର ଖାଲିଦ ପରଦା ପଛରେ ରହି ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଥିଲା। ହିଂସାକାଣ୍ଡର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଫେବୃଆରୀ ୨୩ ତାରିଖରେ, ଉମର ଖାଲିଦ ସମସ୍ତୀପୁର ଚାଲିଯାଇଥିଲା। ଏହାପରେ ସେ ଫୋନ ଯୋଗେ ହିଂସାକାଣ୍ଡ ସହ ଜଡ଼ିତ ସମସ୍ତ ଘଟଣାର ଅପଡେଟ୍ ନେଇଥିଲା।

You might also like