୨୦୨୧ ବେଳକୁ ଦେଶରେ ଆରମ୍ଭ ହେବ 5G ସେବା

ନୂଆଦିଲ୍ଲୀ: ୨୦୨୧ ବେଳକୁ ଦେଶରେ ଆରମ୍ଭ ହେବା 5G ସେବା। ମୁକେଶ ଅମ୍ପାନୀଙ୍କ ଜିଓ ଦେଶରେ 5G ସେବା ଆରମ୍ଭ କରିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଇଣ୍ଡିଆନ୍‌ ମୋବାଇଲ୍‌ କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ସମାରୋହରେ ଯୋଗ ଦେଇ ଏପରି ଘୋଷଣା କରିଛନ୍ତି କମ୍ପାନୀର ସିଇଓ ମୁକେଶ ଅମ୍ବାନୀ।

୨୦୨୧ର ଦ୍ୱିତୀୟାର୍ଦ୍ଧ ବେଳକୁ ଦେଶରେ 5G ସେବା ଆରମ୍ଭ ହେବ ଓ ଏହା ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ହେବ ବୋଲି ମୁକେଶ କହିଛନ୍ତି। ଇଣ୍ଡିଆନ୍‌ ମୋବାଇଲ୍‌ କଂଗ୍ରେସର ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ଅମ୍ବାନୀ କହିଛନ୍ତି “ ଡିଜିଟାଲ ଭାବେ ସଂଯୋଗ ହୋଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଏବେ ଏକ ସର୍ବୋତ୍ତମ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିଛି। ଦେଶର ଏହି ଗତି ଜାରି ରଖିବାକୁ ହେଲେ 5G ସେବା ନିହାତି ଆବଶ୍ୟକ ଓ ଏହାକୁ ସୁହାଇଲା ଭଳି କରିବା ସହିତ ଉପଲବ୍ଧତା ବଢ଼ାଇବାକୁ ପଡ଼ିବ। ୨୦୨୧ ଦ୍ୱିତୀୟାର୍ଦ୍ଧ ବେଳକୁ ପ୍ରଥମେ ଜିଓ ଦେଶରେ 5G ସେବା ଆରମ୍ଭ କରିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି। ଏହା ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳ ନିର୍ମିତ ହେବ। ଏହାର ହାର୍ଡୱେୟାର ଓ ଟେକ୍ନୋଲୋଜି କମ୍ପୋନେଣ୍ଟ ସବୁ ଭାରତର ହେବ।” ବୋଲି ମୁକେଶ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ 5G ସେବା ଦେଶର ଆତ୍ମନିର୍ଭର ଅଭିଯାନକୁ ବଳ ଦେବା ସହିତ ଚତୁର୍ଥ ପର୍ଯ୍ୟାୟ ଶିଳ୍ପବିଳ୍ପବରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରିବ। ପ୍ରେରଣାଦାୟୀ ଆତ୍ମନିର୍ଭର ଭାରତର ଅଭିଯାନରେ ଜିଓ 5G ସେବା ଏକ ଉଦାହରଣ ହେବ। ଚତୁର୍ଥ ପର୍ଯ୍ୟାୟ ଶିଳ୍ପବିଳ୍ପବରେ ଭାରତ କେବଳ ଅଂଶଗ୍ରହଣ କରିବ ନାହିଁ ବରଂ ନେତୃତ୍ୱ ନେବ ବୋଲି ଅମ୍ବାନୀ କହିଛନ୍ତି।

ସବୁଠାରୁ ରୋଚକ କଥା ହେଲା ଭାରତୀ ଏୟାର୍‌ଟେଲ୍‌ କମ୍ପାନୀ ଚେୟାର୍‌ ମ୍ୟାନ୍‌ ସୁନୀଲ ମିତ୍ତଲ ଭାରତରେ 5Gକୁ ନେଇ ଦେଇଥିବା ବୟାନ ପରେ ଏପରି କହିଛନ୍ତି ମୁକେଶ ଅମ୍ବାନୀ। ସୁନୀଲ କହିଥିଲେ ଯେ ଭାରତରେ 5G ସେବା ଆରମ୍ଭ କରିବାକୁ ଆହୁରି ଦୁଇରୁ ତିନି ବର୍ଷ ସମୟ ଲାଗିପାରେ। ତା ସହିତ 5G ସ୍ପେକ୍ଟ୍ରମ୍ ବହୁତ ବ୍ୟୟବହୁଳ ବୋଲି ଏୟାରଟେଲ୍ କହିବା ପରେ ମୁକେଶ ଅମ୍ବାନୀ 5Gକୁ ନେଇ ଏପରି ଘୋଷଣା କରିଛନ୍ତି।

You might also like