ତାନ୍ତ୍ରିକ କଥାରେ ପଡ଼ି ୫ ସନ୍ତାନଙ୍କୁ ହତ୍ୟା କଲେ ବାପା

ଜିନ୍ଦ: ଜଣେ ପିତା ନିଜ ସନ୍ତାନ ପ୍ରତି ଏତେ ବର୍ବର ହୋଇପାରେ ! ହରିୟାଣାର ଜିନ୍ଦ ଜିଲ୍ଲାରେ ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜିନ୍ଦ  ଜିଲ୍ଲାର ଦିଦୱାରା ଗ୍ରାମରେ ଜଣେ ବ୍ୟକ୍ତି ତାନ୍ତ୍ରିକ ନିର୍ଦ୍ଦେଶରେ ନିଜ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଗୋଟିଏ ଗୋଟିଏ କରି ୫ ସନ୍ତାନକୁ ହତ୍ୟା କରିଛନ୍ତି। ଘଟଣା ଥିଲା ଏମିତି।

ଜୁଲାଇ ୧୭ ତାରିଖ ଦିଦୱାରା ଗ୍ରାମର ବାସିନ୍ଦା ଜୁମ୍ମାଙ୍କର ଦୁଇ ଝିଅ ନିଖୋଜ ହୋଇଗଲେ।  ଗତ ସପ୍ତାହରେ ଉଭୟଙ୍କ ମୃତଦେହ ନିକଟସ୍ଥ  କେନାଲରୁ  ଉଦ୍ଧାର କରାଯାଇଥିଲା। ଏହା ପୂର୍ବରୁ ତାଙ୍କର ଅନ୍ୟ ୩ ସନ୍ତାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ,  ଗତ ପାଞ୍ଚ ବର୍ଷ ମଧ୍ୟରେ ଜୁମ୍ମାଙ୍କର ପାଞ୍ଚ ସନ୍ତାନଙ୍କର ମୃତ୍ୟୁ ଘଟିଛି।

ତେବେ ଗୁରୁବାର ୨ ଝିଅଙ୍କ ଶବ ଉଦ୍ଧାର କରାଯିବା ପରେ ଜୁମ୍ମାଙ୍କ ପ୍ରତି ଗ୍ରାମବାସୀ ସନ୍ଦେହ କରିଥିଲେ। ଗାଁ ଲୋକେ ଗୁରୁବାର ପଞ୍ଚାୟତ ଡାକି ଜୁମ୍ମାଙ୍କୁ ଜେରା କରିଥିଲେ।  ଅଭିଯୁକ୍ତ ବାପା ଜୁମ୍ମା ପଞ୍ଚାୟତ ସମ୍ମୁଖରେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ଏହା ପରେ ପଞ୍ଚାୟତ ଅଭିଯୁକ୍ତଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲା। ଅଭିଯୁକ୍ତ ପିତା କହିଛନ୍ତି ଯେ, ସେ ତାଙ୍କର ସମସ୍ତ ପିଲାଙ୍କୁ ଜଣେ ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ ହତ୍ୟା କରିଛନ୍ତି।

ଜୁମ୍ମାଙ୍କର ସମସ୍ତ ସନ୍ତାନଙ୍କର ବୟସ ୧୧ ବର୍ଷ ମଧ୍ୟରେ। ୫ ସନ୍ତାନଙ୍କ ମଧ୍ୟରେ ୩ ଜଣ ଝିଅ ଓ ୨ ପୁଅ ଥିଲେ। ଗତ ସପ୍ତାହରେ ଦୁଇ ଝିଅଙ୍କୁ ହତ୍ୟା କରିଥିବାବେଳେ ଏହା ପୂର୍ବରୁ ଅନ୍ୟ ୩ ସନ୍ତାନଙ୍କୁ ହତ୍ୟା କରିଛନ୍ତି। ତେବେ ତାନ୍ତ୍ରିକ ଜଣକ ତାଙ୍କୁ କ’ଣ ପ୍ରଲୋଭନ ଦେଖାଇଥିଲେ ଯେଉଁଥିପାଇଁ ସେ ନିଜ ୫ ସନ୍ତନାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କଲେ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।

ତେବେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିବା ପରେ ତାଙ୍କୁ ଜେରା କରୁଛି। ଅଭିଯୁକ୍ତ ମଧ୍ୟ ନିଜ ଭୁଲ ସ୍ୱୀକାର କରିଛନ୍ତି। ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି। ପୋଲିସ ଉକ୍ତ ତାନ୍ତ୍ରିକ ସମେତ ଅନ୍ୟଯେଉଁମାନେ ଏହି ଘଟଣାରେ ସଂପୃକ୍ତ ସେମାନଙ୍କୁ ଖୋଜୁଛି।

 

You might also like