ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ହତ୍ୟା ଧମକ
ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଇ-ମେଲ୍ରେ ଆସିଲା ହତ୍ୟା ଧମକ। ଇ-ମେଲ୍ରେ ହତ୍ୟା ଧମକ ଆସିବା ପରେ ରାଞ୍ଚି ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଛି।
ହେମନ୍ତ ସୋରେନ୍ ତାଙ୍କ ପଥ ବଦଳେଇ ଦିଅନ୍ତୁ, ନହେଲେ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କେହି ଜଣେ ଦୁର୍ବୃତ୍ତ ମେଲ୍ କରିଛି।
ଏହି ମେଲ୍ ଜର୍ମାନୀ ଓ ସ୍ୱିଜର୍ଲ୍ୟାଣ୍ଡରୁ ସର୍ଭରରୁ ଆସିଥାଇପାରେ ବୋଲି କୁହାଯାଉଛି। ଏହା ଏକ ଡିସ୍ପୋଜାଲ୍ ମେଲ୍। ଡିସ୍ପୋଜାଲ୍ ମେଲ୍ ହେଉଛି ଆପେ ଆପେ ନଷ୍ଟ ହୋଇଯାଉଥିବା ମେଲ୍। ଏଥିରେ ଗୋଟିଏ ଟେମ୍ପରାରି ଆଡ୍ରେସ୍ର ଗ୍ରାହକ ପାଖକୁ ମେଲ୍ ଯାଇଥାଏ। ଏହାର କିଛି ସମୟରେ ଏହାର ଆଡ୍ରେସ୍ ଆପେ ଆପେ ଡିଲିଟ୍ ହୋଇଯାଇଥାଏ। କେବଳ ପ୍ରେରକ ଓ ଗ୍ରାହକଙ୍କୁ ଏହି ମେଲ୍ ଦେଖାଯାଇପାରିବ।
ପୁଲିସ୍ ଏଫ୍ଆଇଆର୍ରେ ରୁଜୁ ହୋଇଥିବା ଅଭିଯୋଗ ଅନୁସାରେ, “ମୁଖ୍ୟମନ୍ତ୍ରୀ ତୁମେ ଠିକ୍ କରୁନାହଁ, ଏଥିପାଇଁ ତୁମକୁ ବଡ଼ ଦଣ୍ଡ ଦିଆଯିବ।” ବୋଲି ମେଲ୍ ଆସିଛି। ଏଥିସହିତ ଧମକ୍ରେ କିଛି ସାମ୍ପ୍ରଦାୟିକ ସ୍ଲୋଗାନ୍ ଦିଆଯାଇଥିବା ପୁଲିସ୍ ଏଫ୍ଆଇର୍ରୁ ସୂଚନା ମିଳିଛି।
ଝାଡ଼ଖଣ୍ଡ ପୁଲିସ ପ୍ରବକ୍ତା ସୁମନ ଗୁପ୍ତା ମଧ୍ୟ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଦୁଇଟି ଧମକ୍ପୂର୍ଣ୍ଣ ମେଲ୍ ଆସିଛି। ଏନେଇ ରାଞ୍ଚି ସାଇବର ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ସାଇବର ଥାନା ଇନ୍ଚାର୍ଜଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଛି। ଏହି ଟିମ୍ରେ ସମସ୍ତ ଟେକ୍ନିକାଲ ସେଲ୍ ସହିତ ସିଆଇଡି ମଧ୍ୟ ସାମିଲ ଅଛି।
ତେବେ ଏଭଳି ଧମକପୂର୍ଣ୍ଣ ମେଲ୍ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜଏମ୍ଏମ୍)। ଦଳର ପ୍ରବକ୍ତା ତଥା ସାଧାରଣ ସଚିବ ମନୋଜ ପାଣ୍ଡେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଡରି କିଛି ଲୋକଙ୍କ ଦ୍ୱାରା ଏହି ମେଲ୍ ପଠାଯାଇଛି।
ସୂଚନା ଥାଉକି, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମଧ୍ୟ ଏମିତି ହତ୍ୟା ଧମକ୍ ମିଳିଥିଲା। ଉତ୍ତରାଖଣ୍ଡ ପୁଲିସ୍ ଦ୍ୱାରା ଗିରଫ୍ ହୋଇଥିବା ଭୟଙ୍କର ମାଓବାଦୀ ରଘୁବରଙ୍କୁ ଏହି ଧମକ ଦେଇଥିଲା।