କାହିଁକି ଆମାଜନର ସିଇଓ ପଦ ଛାଡ଼ିବେ ଜେଫ୍ ବେଜୋସ୍?

ପଦ ଛାଡ଼ିବେ ବେଜୋସ

ନୂଆଦିଲ୍ଲୀ: ନିଜ ପଦବୀରୁ ଇସ୍ତଫା ଦେବେ ଆମାଜନର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଜେଫ୍ ବେଜୋସ୍। ଇସ୍ତଫା ନେଇ ସେ ନିଜେ ଘୋଷଣା କରିଛନ୍ତି। ବେଜୋସ୍ ୨୦୨୧ର ତୃତୀୟ କ୍ୱାର୍ଟର ଅର୍ଥାତ୍ ଶେଷ ଆଡ଼କୁ ସିଇଓ ପଦରୁ ଇସ୍ତଫା ଦେବେ ଏବଂ ଏହା ପରେ ସେ ଏକଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବେ କାମ କରିବେ ବୋଲି ସୂଚନା ରହିଛି । ତେବେ ନିଜର ଏହି ନିଷ୍ପତ୍ତି ନେଇ ସେ ଏକ ଚିଠି ଲେଖି ନିଜ କର୍ମଚାରୀଙ୍କୁ ଅବଗତ କରାଇଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସେ କମ୍ପାନୀର ସିଇଓ ପଦ ଛାଡ଼ୁଛନ୍ତି। ତାଙ୍କ ସ୍ଥାନରେ ଆମାଜନ ୱେବ୍ ସର୍ଭିସେସର ମୁଖ୍ୟ ଆଣ୍ଡି ଜେସିଙ୍କୁ ସିଇଓ ଦାୟିତ୍ୱ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଏହାସହ ଜେଫ୍ ବେଜୋସ୍ ଚିଠିରେ ଲେଖିଛନ୍ତି, ଆଗାମୀ ଦିନରେ ମୁଁ ଆମାଜନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବି ଏବଂ ଆଣ୍ଡି ଜେସି କମ୍ପାନୀର ନୂଆ ସିଇଓ ହେବେ। ୫୭ ବର୍ଷୀୟ ବେଜୋସ୍ ୧୯୯୪ରେ ନିଜ ଗ୍ୟାରେଜରେ ଆମାଜନର ପ୍ରତିଷ୍ଠା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହାକୁ ସେ ଅନଲାଇନ୍ ରିଟେଲ୍ ଭାବେ ସାରା ଦୁନିଆରେ ବେଶ ପରିଚିତ କରାଇପାରିଛନ୍ତି। ୨୭ ବର୍ଷର ସଫଳ ଯାତ୍ରାକୁ ନେଇ ବେଜୋସ୍ କହିଛନ୍ତି ଯେ, ଆମାଜନ କେବଳ ଏକ ବିଚାର ଥିଲା ଏବଂ ଏହାର କୌଣସି ନାମକରଣ ନଥିଲା। ଆଜି ୧.୩ ମିଲିୟନ ପ୍ରତିଭାଶାଳୀ, ସମର୍ପିତ ଲୋକଙ୍କୁ ରୋଜଗାର ଦେଉଛୁ ବୋଲି ବେଜୋସ କହିଛନ୍ତି।

ବେଜୋସଙ୍କ ସ୍ଥାନ ନେବାକୁ ଥିବା ଆଣ୍ଡି ଜେସି ଗତବର୍ଷ ସେପ୍ଟେମ୍ବର ମାସରେ ହାୱାର୍ଡ ବିଜନେସ୍ ସ୍କୁଲର ଏକ ପୋଡକାଷ୍ଟରେ କହିଥିଲେ, ୧୯୯୭ ମସିହା ମେ’ ମାସର ପ୍ରଥମ ଶୁକ୍ରବାର ମୁଁ HSBCର ଫାଇନାଲ୍ ପରୀକ୍ଷା ଦେଇଥିଲି। ଏହା ପରେ ପରବର୍ତ୍ତୀ ସୋମବାର ମୁଁ ଆମାଜନରେ କାମ କରିବା ଆରମ୍ଭ କରିଦେଇଥିଲି। ସେତେବେଳେ ମୁଁ ଜାଣିନଥିଲି ଯେ ମୋତେ କ’ଣ କାମ କରିବାକୁ ହେବ ଏବଂ ମୋର ପଦବୀ କ’ଣ ହେବ। ଜେସିଙ୍କ ବିବାହ ଏଲାନା ରୋଚେଲ୍ କାପଲାନଙ୍କ ସହ ହୋଇଥିଲା। ଜେସିଙ୍କର କ୍ରୀଡ଼ା ଓ ସଂଗୀତ ପ୍ରତି ବହୁତ ରୁଚି ରହିଛି।

ଅବସର ପାଇଁ ବେଜୋସଙ୍କ ମନରେ ଦୁଃଖ ନଥିବା କଥା ମଧ୍ୟ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି। ବାସ୍ତବରେ, ଏହା ତାଙ୍କ ପାଇଁ ଏକ କ୍ୟାରିୟର ଏକ ପ୍ରକ୍ରିୟା ପରି ଦେଖାଯାଉଛି। କାରଣ ସେ ବର୍ତ୍ତମାନ ପ୍ରତିଷ୍ଠା କରିଥିବା ଅନ୍ୟ କମ୍ପାନୀର କିମ୍ବା ଗତ କିଛି ବର୍ଷ ମଧ୍ୟରେ ନିଆଯାଇଥିବା ପ୍ରୋଜେକ୍ଟରେ ନିଜର ହୋଲ୍ଡିଂକୁ ସର୍ବାଧିକ କରିବାକୁ ଚେଷ୍ଟା କରିବେ ବୋଲି ଜଣାଯାଇଛି।

You might also like