୨୦୨୧ ରୁ ୪ ସେସନରେ ହେବ ଜେଇଇ ମେନ୍

ଆସନ୍ତା ବର୍ଷ ଅର୍ଥାତ ୨୦୨୧ରେ ୪ଟି ସେସନରେ ହେବ JEE (ମେନ୍) ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅର୍ଥାତ ୨୦୨୧ରେ ୪ଟି ସେସନରେ ହେବ JEE (ମେନ୍) ପରୀକ୍ଷା। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ। ମିଳିଥିବା ସୂଚନା ଅନୁସାରେ,  ପ୍ରଥମ ସେସନ୍ ଫେବ୍ରୁଆରୀ ୨୩ରୁ ୨୬ ତାରିଖ ମଧ୍ୟରେ ସରିବ। ଏହାପରେ ମାର୍ଚ୍ଚ ୧୫ରୁ ୧୮ ତାରିଖ ଭିତରେ ହେବ ଦ୍ୱିତୀୟ ସେସନ୍। ଏପ୍ରିଲ ୨୭ରୁ ୩୦ ତାରିଖ ମଧ୍ୟରେ ତୃତୀୟ ସେସନ୍ ଏବଂ ମେ ୨୪ରୁ ୨୮ ତାରିଖ ମଧ୍ୟରେ ଚତୁର୍ଥ ତଥା ଫାଇନାଲ୍ ସେସନ୍ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି। ୪ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପରୀକ୍ଷାର ଯେ କୌଣସି ସମୟରେ ନିଜ ଇଛା ଅନୁସାରେ ତାରିଖ ଚୟନ କରି ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇପାରିବେ।

ପରୀକ୍ଷା ସରିବାର ୪ରୁ ୫ ଦିନ ଭିତରେ ଫଳାଫଳ ପ୍ରକାଶ ପାଇବ ବୋଲି ରମେଶ ପୋଖରିୟାଲ୍ କହିଛନ୍ତି। ତେବେ ନୂଆ ଶିକ୍ଷାନୀତି ଅନୁଯାୟୀ, ଏହି ପ୍ରବେଶିକା ପରୀକ୍ଷା ଇଂରାଜୀ ସମେତ ଦେଶର ୧୩ଟି ଭାଷାରେ ହେବ। ତାମଧ୍ୟରେ ଓଡିଆ ଭାଷାରେ ମଧ୍ୟ ଓଡ଼ିଶାର ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। କେବଳ ଓଡିଆ ନୁହେଁ, ହିନ୍ଦୀ, ମରାଠୀ, ଆସାମୀ, ବେଙ୍ଗଲି, ଗୁଜରାଟୀ, କନ୍ନଡ଼, ମାଲାୟାଲାମ୍, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭାଷାରେ ମଧ୍ୟ JEE (ମେନ୍) ପରୀକ୍ଷା ହେବ। 

You might also like