ସୁଶାନ୍ତ ସିଂ ମୃତ୍ୟୁ ମାମଲା: CBI ତଦନ୍ତକୁ ବୈଜୟନ୍ତଙ୍କ ସ୍ୱାଗତ

ଭୁବନେଶ୍ୱର:  ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି। ଏ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଜାତୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା ମଧ୍ୟ ଟୁଇଟ୍ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି।

ସେ କହିଛନ୍ତି, ବଲିଉଡ୍‌ର ଜଣେ ଉଦୀୟମାନ ତାରକା ଏବଂ ତାଙ୍କ ପୂର୍ବତନ ମ୍ୟାନେଜରଙ୍କ ମୃତ୍ୟୁକୁ ନେଇ ଅନେକ ବିବାଦ ଲାଗି ରହିଛି। ତଦନ୍ତ ଫାଇଲ୍ ଉଭାନ ହୋଇଯିବା, ଠିକ୍‌ରେ ତଦନ୍ତ କରୁନଥିବା ପୋଲିସକୁ ଅହଙ୍କାରୀ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେବା ତଥା  ଘଟଣାକୁ ଚପାଇ ଦେବା ଲାଗି ବାହ୍ୟ ଚାପ ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସ୍ୱାଭାବିକ ବୋଲି ସେ କହିଛନ୍ତି।

ସୂଚନାଥାଉ କି, ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ  ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସ୍‌କୁ ନିର୍ଦ୍ଦେଶ ଦେବାସହ ମୃତ୍ୟୁ ସମ୍ପର୍କିତ ସମସ୍ତ ତଥ୍ୟ CBIକୁ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଏଥି ସହିତ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଯଦି କୌଣସି ନୂଆ ଏତଲା ଦାଏର ହୁଏ, ତେବେ CBI ଏହାର ତଦନ୍ତ କରିବ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ତଦନ୍ତ ପାଇଁ ସିବିଆଇର SIT ଟିମ୍ ଆଜି ମୁମ୍ବାଇ ଯିବ ବୋଲି ଜଣାପଡ଼ିଛି।

 

 

You might also like