କେବଳ ଏହି ଗୋଟିଏ କାରଣ ପାଇଁ ବିବାହ କରୁ ନାହାନ୍ତି ଜାପାନ ରାଜକୁମାରୀ

ଟୋକିଓ: ପାଖାପାଖି ୭ ବର୍ଷ ହେବ ନିଜ ପ୍ରେମିକଙ୍କୁ ବିବାହ କରିବା ପାଇଁ ଅପେକ୍ଷା କରିଥିବା ଜାପାନ ରାଜକୁମାରୀ ମାକୋ ପୁଣିଥରେ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। କେବଳ ଗୋଟିଏ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଜାପାନର ନିୟମ ଓ ରାଜକୀୟ ପରିବାରର ପରମ୍ପରା ଅନୁସାରେ, ଯଦି ରାଜକୁମାରୀ ମାକୋ କୌଣସି ସାଧାରଣ ବ୍ୟକ୍ତିଙ୍କୁ ବିବାହ କରନ୍ତି, ତା’ହେଲେ ତାଙ୍କୁ ରାଜକୀୟ ସୁବିଧା, ସୁଯୋଗ ଓ ମର୍ଯ୍ୟାଦା ହରାଇବାକୁ ପଡ଼ିବ। ଏହାସହ ତାଙ୍କୁ ଜଣେ ସାଧାରଣଲୋକଙ୍କ ଭଳି ଜୀବନ ଅତିବାହିତ କରିବାକୁ ପଡ଼ିବ। ରାଜକୀୟ ମର୍ଯ୍ୟାଦା ଚାଲିଯିବା ଭୟରେ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।  ଏହି କାରଣ ଯୋଗୁ ରାଜକୁମାରୀ ପୁଣିଥରେ ନିଜ ପ୍ରେମିକଙ୍କୁ ବିବାହ କରିବା ତାରିଖ ଘୁଞ୍ଚାଇ ଦେଇଛନ୍ତି।

ପୁଣିଥରେ ବିବାହ ତାରିଖ ଘୁଞ୍ଚାଇ ଦେବା ନେଇ ରାଜକୁମାରୀ ନିଜେ ଏହି ଘୋଷଣା କରିଛନ୍ତି। ଏହା ପୂର୍ବରୁ ୨୮ ବର୍ଷୀୟ ରାଜକୁମାରୀ ମାକୋ ୨୦୧୭ରେ ପ୍ରେମିକ କୋମୁରୋଙ୍କ ସହ ବିବାହ କରିବା ତାରିଖ ଘୁଞ୍ଚାଇ ଦେଇଥିଲେ। ଏହାପରେ ପାଠପଢ଼ା ପାଇଁ ସେ ବ୍ରିଟେନ ଚାଲି ଯାଇଥିଲେ।

ଟୋକିଓ ଇଣ୍ଟରନ୍ୟାସନାଲ୍‌ ଖ୍ରୀଷ୍ଟିଆନ୍‌ ୟୁନିଭର୍ସିଟିରେ ପଢ଼ୁଥିବା ସମୟରେ ରାଜକୁମାରୀ ମାକୋ ଓ କୋମୁରୋଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ୨୦୧୩ ଡିସେମ୍ବରରେ କୋମୁରୋ ରାଜକୁମାରୀ ମାକୋଙ୍କୁ ପ୍ରପୋଜ କରିଥିଲେ। ଏହାପରଠୁ ଉଭୟ ରିଲେସନ୍‌ଶିପ୍‌ରେ ଅଛନ୍ତି।

ଏହି ରାଜକୀୟ ପରିବାରରେ ଶେଷଥର ପାଇଁ ରାଜକୁମାରୀ ପଦବୀ ରାଜକୁମାରୀ ମାକୋଙ୍କ ପିଉସୀ ସୟୋକୋଙ୍କ ନିକଟରୁ ପ୍ରତ୍ୟାହାର କରି ନିଆଯାଇଥିଲା। କାରଣ ରାଜକୁମାରୀ ସୟୋକୋ ୨୦୦୫ରେ ଟୋକିଓର ଜଣେ ଅଧିକାରୀଙ୍କୁ ବିବାହ କରିଥିଲେ। ଫଳରେ ତାଙ୍କ ନିକଟରୁ ସମସ୍ତ ରାଜକୀୟ ସୁବିଧା, ସୁଯୋଗ ପ୍ରତ୍ୟାହାର କରି ନିଆଯାଇଥିଲା।

ଏହି ବିବାଦୀୟ ପରମ୍ପରା ଯୋଗୁ ଜଣେ ସାଧାରଣ ଯୁବକଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିବା ରାଜକୁମାରୀ ମାକୋ ପୁଣିଥରେ ତାଙ୍କର ବିବାହ ତାରିଖ ଘୁଞ୍ଚାଇ ଦେଇଛନ୍ତି। ଏପରିକି ଭୟରେ ରାଜକୁମାରୀ ମାକୋ ନିଜର ପ୍ରେମ ସମ୍ପର୍କକୁ ଅନେକ ବର୍ଷ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ, ଏହି ରାଜକୀୟ ପରିବାରରେ ଥିବା ଏହି ନିୟମ ରାଜକୀୟ ପରିବାରର ପୁରୁଷଙ୍କ ପାଇଁ ଲାଗୁ ନୁହେଁ।

You might also like