କାଲି ୩୭୦୦ ଟ୍ରେନ, ୧୦୦୦ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ଆହ୍ୱାନ ଦେଇଛନ୍ତି। ଏହାକୁ ସଫଳ କରିବା ପାଇଁ ଚାରିଆଡ଼ୁ ସମର୍ଥନ ମିଳୁଛି। ରେଳବାଇ ପକ୍ଷରୁ ରବିବାର ସାରା ଦେଶରେ ୩,୭୦୦ ଟ୍ରେନ ଚଳାଚଳ ବାତିଲ କରି ଦିଆଯାଇଛି। ସେହିପରି ଦେଶର ଦୁଇଟି ବିମାନ କମ୍ପାନୀ ଇଣ୍ଡିଗୋ ଏବଂ ଗୋ ଏୟାର ପାଖାପାଖି ୧ ହଜାର ଉଡାଣ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରବିବାର ପାସେଞ୍ଜର ଟ୍ରେନ୍‌ ସହ ଏକ୍ସପ୍ରେସ୍‌ ଟ୍ରେନ ଚଳାଚଳ ବନ୍ଦ କରାଯିବ। ଏଥିସହିତ ଅଧିକ ଦୂରକୁ ଯାଉଥିବା ମେଲକୁ ମଧ୍ୟ ବନ୍ଦ କରାଯିବ। ଶନିବାର ରାତି ୧୦ଟାରୁ ଦେଶର କୌଣସି ଷ୍ଟେଶନରୁ କୌଣସି ପାସେଞ୍ଜର ବା ଏକ୍ସପ୍ରେସ୍‌ ଚଳାଚଳ କରିବ ନାହିଁ । ଏହା ରବିବାର ଯାଏ ବଳବତ୍ତର ରହିବ। ରେଲୱେ ବୋର୍ଡ ଶୁକ୍ରବାର ଜାରି କରିଥିବା ଏକ ନିର୍ଦ୍ଦେଶନାମାରେ କହିଛି, ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଏବଂ ସିକନ୍ଦରାବାଦ୍‌ରେ ଉପନଗରୀ ରେଳ ସେବା ମଧ୍ୟ ବ୍ୟାହତ ହେବ। ଜରୁରୀ ଯାତ୍ରା ପାଇଁ ଯେତିକି ଆବଶ୍ୟକ ସେତିକି ସେତକି ଟ୍ରେନ୍‌ ଚଳାଚଳ କରିବ।  ସେହିପରି ରବିବାର ୧୩୦୦ ମେଲ/ଏକ୍ସପ୍ରେସ ଟ୍ରେନ ବାତିଲ କରାଯିବ।

ଅନ୍ୟପକ୍ଷେ ଦେଶର ଦୁଇଟି ବିମାନ କମ୍ପାନୀ ଇଣ୍ଡିଗୋ ଏବଂ ଗୋଏୟାର ମଧ୍ୟ ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି। ଗୋ ଏୟାର ପକ୍ଷରୁ ରବିବାର ସମସ୍ତ ଘରୋଇ ଉଡାଣକୁ ବାତିଲ କରି ଦିଆଯାଇଛି। ଇଣ୍ଡିଗୋର ମାତ୍ର ୪୦ ପ୍ରତିଶତ ବିମାନ ଚଳାଚଳ କରାଯିବ ବୋଲି କୁହାଯାଇଛି। ଦୁଇ କମ୍ପାନୀର ନିଷ୍ପତ୍ତି ଅନୁଯାୟୀ କାଲି ପ୍ରାୟ ୧୦୦୦ ଉଡାଣ ବାତିଲ କରାଯିବ। ତେବେ ଏହି ଦୁଇ କମ୍ପାନୀ ବାତିଲ ଉଡାଣର ଟିକଟ ପଇସା ଫେରାଇବ କି ନାହିଁ କିଛି ସୂଚନା ଦେଇ ନାହାନ୍ତି।

ଅନ୍ୟପକ୍ଷେ Indian Railway Catering and Tourism Corporation (IRCTC) ପକ୍ଷରୁ  ତାଙ୍କର ୫ ଜେନରାଲ ମ୍ୟାନେଜରଙ୍କୁ ଆଦେଶ ଦିଆଯାଇଛି, ଫୁଡ୍‌ ପ୍ଲାଜା, ରିଫ୍ରେଶମେଣ୍ଟ ରୁମ୍‌, ଜନ ଆହାର ଏବଂ ସେଲ କିଚେନ୍‌ ରବିବାରଠାରୁ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ନି ମିଳିବା ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ ବୋଲି କୁହାଯାଇଛି।

You might also like