ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ରାଜନେତାଙ୍କୁ ସର୍ବଦଳୀୟ ବୈଠକ ପାଇଁ ଦିଲ୍ଲୀ ଡାକରା ହୋଇଛି। ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ବାସଭବନରେ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ଜାମ୍ମୁ-କାଶ୍ମୀରର ରାଜନେତା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ସମେତ ୧୪ ଜଣ ପ୍ରମୁଖ ରାଜନେତାଙ୍କୁ ଆମନ୍ତ୍ରଣ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା। ଆର୍ଟିପିସିଆର୍ କୋଭିଡ୍ ନେଗେଟିଭ୍ ରିପୋର୍ଟ ସହ ସେମାନଙ୍କୁ ଆସିବାକୁ କୁହାଯାଇଛି। ଧାରା ୩୭୦ ଉଚ୍ଛେଦ ପରେ ଏଭଳି ପ୍ରଥମ ବୈଠକ ଆସନ୍ତା ୨୪ ତାରିଖରେ ହେବାକୁ ଯାଉଥିବା ବେଳେ, କ୍ରମଶଃ କଟକଣା କୋହଳ ପରେ ବିଧାନସଭା ନିର୍ବାଚନ ଆଡ଼କୁ ଜାମ୍ମୁ ଓ କାଶ୍ମୀରର ରାଜନୈତିକ ପ୍ରକ୍ରିୟାକୁ ଆଗେଇବା ପାଇଁ, ଏହି ବୈଠକରେ ମାନସମନ୍ଥନ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀ ମାନେ ମଧ୍ୟ ଯୋଗ ଦେଇପାରନ୍ତି। ଏହି ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ତାରା ଚାନ୍ଦ, ପିପୁଲ୍ସ କନଫରେନ୍ସ ନେତା ମୁଜଫର୍ ହସିନ୍ ବେଗ୍, ବିଜେପି ନେତା ନିର୍ମଳ ସିଂ, କବିନ୍ଦର ସିଂ, ରବିନ୍ଦର ରାଇନା ପ୍ରମୁଖ ନେତାଙ୍କୁ ମଧ୍ୟ ଡକାଯାଇଛି। ଅନ୍ୟପକ୍ଷରେ ନ୍ୟାସନାଲ କନ୍ଫରେନ୍ସ, ପିଡିପି, କଂଗ୍ରେସ ଓ ସିପିଏମ୍ ନେତାମାନେ ଏହି ବୈଠକରେ ଯୋଗ ଦେବେ କି ନାହିଁ ନିଜ ନିଜ ଦଳ ମଧ୍ୟରେ ବୈଠକ କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆଜି  ୨୪ କୁ ନେଇ ହେବାକୁ ଥିବା ବୈଠକରେ ମୋଦି ଡାକିଥିବା ବୈଠକରେ ଯୋଗ ଦେବେ କି ନାହିଁ ସେନେଇ ଆଜି କିଛି ଦଳ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

କୁହାଯାଉଛି, ଏଥିରେ ପୁଣଇ ଥରେ କଂଗ୍ରେସ ନେତା ଧାରା ୩୭୦ ସମ୍ପର୍କରେ ଆଲୋଚନା କରିବେ। କିନ୍ତୁ କେନ୍ଦ୍ର ସରକାର ଏନେଇ କୌଣସି ସୂଚନା ଦେଇନାହାନ୍ତି। ତେବେ ଆସନ୍ତା ୨୪ରେ ହିଁ ସ୍ପଷ୍ଟ ହେବ ଦିଲ୍ଲୀ ଦରବାରରେ କେଉଁ ବିଷୟରେ ଆଲୋଚନା ହେଉଛି ଏବଂ କେଉଁ କେଉଁ ଦଳ ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ବୈଠକରେ ଯୋଗ ଦେଉଛନ୍ତି। ଏଠାରେ କହିରଖୁଛୁ ଯେ, ଜାମ୍ମୁରେ ଧାରା ୩୭୦ ଉଚ୍ଛେଦ ହେବା ପରେ କ୍ରମଶଃ ଆତଙ୍କୀ କାର୍ଯ୍ୟକଳାପ କମିଛି। ଆଉ ଆଗାମୀ ଦିନରେ ସେଠାରେ ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି। କରୋନା ସଂକ୍ରମଣ ଆୟତ୍ତ ହେବା ପରେ ସେଠାରେ ନିର୍ବାଚନ ହୋଇପାରେ ବୋଲି ସୂଚନା ରହିଛି।

 

Other Stories