ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ରାଜନୈତିକ ଭବିଷ୍ୟତ ଉପରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବ ଗୁପକାର ମେଣ୍ଟ । ଜମ୍ମୁ-କଶ୍ମୀରର ବିଭିନ୍ନ ରାଜନୈତିକ ଦଳକୁ ନେଇ ଗଠିତ ଗୁପକାର ମେଣ୍ଟ ବୈଠକରେ ସାମିଲ ହେବ ବୋଲି ରାଜି ହୋଇଛି । ଆଜି ଦଳର ବରିଷ୍ଠ ନେତା ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ ମେଣ୍ଟର ବୈଠକ ହୋଇଥିଲା । ଏହା ପରେ ସେମାନେ ବୈଠକରେ ଭାଗ ନେବେ ବୋଲି କହିଛନ୍ତି।

ଏହି ବୈଠକ ପରେ ମେଣ୍ଟ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେଇ କାଶ୍ମୀର ବିଭିନ୍ନ ପ୍ରସଙ୍ଗରେ ଆମର ଦାବି ଉପସ୍ଥାପନ କରିବୁ । କାଶ୍ମୀରରେ ରାଜନୈତିକ ବନ୍ଦୀଭାବେ ଜୀବନ କାଟୁଥିବା ନେତାଙ୍କ ମୁକ୍ତି, କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ କ୍ଷମତା ଦେବା ସହ ଏହାକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ଉପସ୍ଥାପନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

କଶ୍ମୀରର ସବୁ ପକ୍ଷଙ୍କ ସହ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଦାବିକରିବୁ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି। ଏଥିସହିତ ପାକିସ୍ତାନ ସହ ଆଲୋଚନା କରିବାକୁ ଅନୁରୋଧ କରିବୁ ବୋଲି ମେଣ୍ଟ କହିଛି । ମୋଦିଙ୍କ ସର୍ବଦଳୀୟ ବୈଠକ ସମ୍ପର୍କରେ ସୂଚନା ମିଳିବା ପରେ ଗୁପକାର ମେଣ୍ଟର ସଦସ୍ୟମାନେ ଆଲୋଚନା ଆରମ୍ଭ କରିଥିଲେ। ପ୍ରଥମ ବୈଠକରେ ପିଡିପି ମୁଖ୍ୟ ମେହବୁବା ମୁଫତି ଯୋଗ ଦେଇ ନ ଥିଲେ, ହେଲେ ଆଜି ଅନୁଷ୍ଠିତ ହୋଇଥିବା ଗୁପକାର ମେଣ୍ଟର ଦ୍ୱିତୀୟ ବୈଠକରେ ସେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ଜାମ୍ମୁ କାଶ୍ମୀରର ମୋଟ ସାତୋଟି ରାଜନୈତିକ ଦଳ ଗୁପକାର ସଂଗଠନ ଅଧୀନରେ ଆସିଛନ୍ତି, ଯେଉଁମାନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ବଡ ଦଳ ହେଉଛି ଜାତୀୟ ସମ୍ମିଳନୀ, ପିଡିପି। ଗୁପକର ସଂଗଠନର ନେତା ମୁଜାଫର ଶାହା କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ବିଷୟରେ ଆଲୋଚନା କରିବୁ। ଆହୁରି ମଧ୍ୟ, 35A, 370 ବିଷୟରେ ଆଲୋଚନା ହେବ ଏବଂ ଏକ ନିଷ୍ପତ୍ତି ନିଆଯିବ।

ପ୍ରକାଶଥାଉ ଯେ, ଜାମ୍ମୁ-କାଶ୍ମୀରର ସମୁଦାୟ ୧୬ ନେତାଙ୍କୁ କେନ୍ଦ୍ର ସରକାର ନିମନ୍ତ୍ରଣ କରିଛନ୍ତି, ଯେଉଁଥିରେ ସେମାନଙ୍କୁ ଜୁନ୍ ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗଦେବାକୁ କୁହାଯାଇଛି। ଜାମ୍ମୁ କାଶ୍ମୀରରୁ ଧାରା 370, 35A ରଦ୍ଦ ହେବା ପରେ ଏହା ରାଜ୍ୟର ନେତାଙ୍କ ସହ ଯୋଗାଯୋଗ କରିବା ପାଇଁ କେନ୍ଦ୍ରର ସବୁଠାରୁ ବଡ ପଦକ୍ଷେପ।

Other Stories