ସରକାରଙ୍କ ବିରୋଧରେ ଯାଇ ନିଜର ମତ ପ୍ରକାଶ କରିବା ଦେଶଦ୍ରୋହ ନୁହେଁ

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ୱସ୍ତି। ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ମାମଲାର କୋର୍ଟ କହିଛନ୍ତି, ସରକାରଙ୍କ ରାୟ ବିରୋଧରେ ଯାଇ ନିଜର ବିଚାର ଅଭିବ୍ୟକ୍ତିକୁ ଉପସ୍ଥାପନ କରୁଥିବା ବ୍ୟକ୍ତିକୁ ଦେଶଦ୍ରୋହୀ କୁହାଯିବ ନାହିଁ।

ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି ସଞ୍ଜୟ କିଷନ୍‌ କୌଲ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି। ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନେଇ ତାଙ୍କ ବିରୋଧରେ ଦେଶଦ୍ରୋହ ମାମାଲା ରୁଜୁ କରାଯାଇଥିଲା। ଆଜି ଏହି ଅଭିଯୋଗ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଦେଶଦ୍ରୋହ  ମାମଲାକୁ ଖାରଜ କରିଛନ୍ତି। ଅନ୍ୟପଟେ ଆବେଦନକାରୀ ରଜତ ଶର୍ମାଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଅନୁଚ୍ଛେଦ ୩୭୦କୁ ନେଇ ଚୀନ ଠାରୁ ସାହାଯ୍ୟ ମାଗିବା କଥା କହିଥିଲେ ଫାରୁକ ଅବଦୁଲ୍ଲା। ତେବେ ଏହି ଅଭିଯୋଗରେକୁ ନ୍ୟାସନାଲ କନଫରେନ୍ସ ଖାରଜ କରିଦେଇଥିଲା। ପାର୍ଟି ପକ୍ଷରୁ କୁହାଯାଇଥିଲା, ଅବଦୁଲ୍ଲା କେବେବି ବି ଚୀନ ସହ ମିଶି ଅନୁଚ୍ଛେଦ ୩୭୦ ପୁଣି ଫେରାଇ‍ ଆଣିବା କଥା କହିନାହାନ୍ତି । ତାଙ୍କ ବୟାନକୁ ଅତିରଞ୍ଜିତ କରି ଉପସ୍ଥାପନ କରାଯାଇଥିବା କୁହାଯାଇଥିଲା।

ତାଙ୍କ ବୟାନ ବିରୋଧରେ ଯାଇ ଆବେଦନକାରୀ ରଜତ ଶର୍ମା କହିଥିଲେ, ଫାରୁକ ଅବଦୁଲ୍ଲା ଦେଶଦ୍ରୋହ କାର୍ଯ୍ୟ କରିଛନ୍ତି । ତାଙ୍କ ବିରୋଧରେ ଗୃହ ମନ୍ତ୍ରଣାଳୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସଂସଦର ତାଙ୍କ ସଦ୍ୟସତା ରଦ୍ଦ କରାଯାଉ ବୋଲି ଦାବି କରିଥିଲେ ।  ଯଦି ତାଙ୍କୁ କୌଣସି ଦଣ୍ଡବିଧାନ ନମିଳିବ, ଏହାର ଅର୍ଥ ହେବ ଦେଶଦ୍ରୋହ କାର୍ଯ୍ୟକଳାପକୁ ସ୍ୱୀକାର କରାଯାଉଛି। ଏହା ଦେଶର ଏକତାକୁ ହାନି ପହଞ୍ଚାଉଛି।

ସୁପ୍ରିମକୋର୍ଟ ରଜତ ଶର୍ମାଙ୍କ ଆବେଦନକୁ ଖାରଜ କରି ତାଙ୍କ ଉପରେ ୫୦ ହଜାର ଜୋରିମାନା ଲଗାଇଛନ୍ତି। କାରଣ ଆବେଦନକାରୀ ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ସେ ସାବ୍ୟସ୍ତ କରିପାରିଲ ନାହିଁ, ଯେଉଁଥିରେ ସେ ଅନୁଚ୍ଛେଦ ୩୭୦ ବିରୋଧରେ ଯାଇ ଭାରତ ଚୀନ ଓ ପାକିସ୍ତନାର ସାହାଯ୍ୟ ମାଗିଥିଲେ।

You might also like