ପୁଣି ଏକ ପୁଲୱାମା ବିସ୍ଫୋରଣ ଉଦ୍ୟମକୁ ବିଫଳ କଲା ସେନା

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମାରେ ପୁଣି ଏକ ବଡ଼ ଧରଣର ବିସ୍ପୋରଣ କରବା ପାଇଁ ଆତଙ୍କବାଦୀ ଉଦ୍ୟମ କରୁଥିବାବେଳେ ଏହାକୁ ପଣ୍ଡ କରି ଦେଇଛନ୍ତି ଭାରତୀୟ ସେନା। ଏଠାର ୨୦ କେଜିର ଆଇଇଡି ଭର୍ତ୍ତି ଏକ କାରକୁ ଠାବ କରିବା ସହ ଠିକ୍ ସମୟରେ ଏହି ବିସ୍ଫୋରକକୁ ନିସ୍କ୍ରିୟ କରି ଦିଆଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସ୍ଥାନୀୟ ପୋଲିସ, ସିଆରପିଏଫ୍ ଏବଂ ସେନା ପକ୍ଷରୁ ଆରମ୍ଭ ହୋଇଥିବା ମିଳିତ ଅପରେସନରେ ଏହି ସଫଳତା ମିଳିଛି ବୋଲି କୁହାଯାଇଛି।

ଗତକାଲି ରାତିରେ ସନ୍ଦିଗ୍ଧ ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି ଏକ କାର୍ ସହ ବୁଲାବୁଲି କରୁଥିବା ପୁଲଓ୍ୱାମା ପୋଲିସକୁ ଖବର ମିଳିଥିଲା । ଏହା ପରେ ତଲାସି ଅଭିଯାନକୁ ବ୍ୟାପକ କରାଯାଇଥିଲା। ପୁଲଓ୍ୱାମାର ବିଭିନ୍ନ ସ୍ଥାନରେ ପୋଲିସ ପାର୍ଟି ପହଞ୍ଚି ଯାଞ୍ଚ ସହ ଘେରାବନ୍ଦି କରିଥିଲା । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଏକ ସନ୍ଦିଗ୍ଧ କାରକୁ ଠାବ କରିଥିଲେ ସୁରକ୍ଷାବଳ। ଏହି ଗାଡ଼ିରେ ଥିବା ନମ୍ବର ପ୍ଲେଟ( ଜେକେ-୦୮ ୧୪୨୬)ର କାଠୁଆର ଥିଲା। 

ଏହା ପରେ ସୁରକ୍ଷାବଳ ପକ୍ଷରୁ ଫାୟାରିଂ ଆରମ୍ଭ ହୋଇଥିଲା।  ଏହା ପରେ କାରରେ ଥିବା ଡ୍ରାଇଭର ଜଣଙ୍କ ଫେରାର ହେବାକୁ ସକ୍ଷମ ହୋଇଥିଲା। ଯାଞ୍ଚ କରିବା ପରେ  କାର ପଛ ସିଟ୍‌ରେ ଏକ ଡ୍ରମ୍‌ରେ ବିସ୍ଫୋରକ ଥିବା ଦେଖିବାକୁ ପାଇଥିଲେ ଯବାନ । 

ବିସ୍ଫୋରକକୁ ଅକାମି କରିବା ସହ କାରଟିକୁ ଉଡ଼ାଇ ଦିଆଯାଇଥିଲା । ସପେଟେ ଏନଆଇଏ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛି।  ଘଟଣା ସହ ପାକିସ୍ତାନ ଲିଙ୍କ୍ ଅଛି କି ନାହିଁ ସେ ସମ୍ପର୍କରେ ଖୋଳତାଡ କରିବ।

୨୦୧୯ ଫେବ୍ରୁଆରିରେ ହୋଇଥିବା ପୁଲଓ୍ୱାମା ଆକ୍ରମଣ ଭଳି ଏଥର ମଧ୍ୟ ସମାନ ଧରଣର ହମଲା ପାଇଁ ଆତଙ୍କବାଦୀ  ଯୋଜନା କରୁଥିବା ସେନା ପକ୍ଷରୁ କୁହାଯାଇଛି । ପୁଲୱାମାର ଅବନ୍ତିପୋରାରେ ହୋଇଥିବା ଏହି ଆକ୍ରମଣରେ ସିଆରପିଏଖର ୪୦ ଯବାନ ସହିଦ ହୋଇଥିଲେ। ଏହି ବିସ୍ଫୋରଣରେ ଜୈଶ-ଏ-ମହମ୍ମଦ ଏହିଭଳି ଏକ କାର୍‌ରେ ଆଇଇଡି ଭର୍ତ୍ତି କରି ବିସ୍ଫୋରଣ ଘଟାଇଥିଲା ।

You might also like