ଜମ୍ମୁ ଓ କାଶ୍ମୀରରେ ରାଜନୈତିକ ଘମାସାନ୍

ନୂଆଦିଲ୍ଲୀ  : ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଜମ୍ମୁ ଓ କାଶ୍ମୀର ବିଧାନସଭାକୁ ଭାଙ୍ଗିଦେବା ପରେ ଜୋର ଧରିଛି ରାଜନୀତି। ରାଜ୍ୟପାଳ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ଏଭଳି ନିଷ୍ପତ୍ତି ନେଇଥିବା ପିଡିପି, ନ୍ୟାସନାଲ କନ୍‌ଫରେନ୍ସ ଓ କଂଗ୍ରେସ ଅଭିଯୋଗ କରିଛନ୍ତି।

ଗତ ୪-୫ ମାସ ହେବ ବିଜେପି ତୋଡ୍ ମୋଡ୍ ର ସରକାର ଗଠନ ଲାଗି ପ୍ରୟାସ କରି ବିଫଳ ହେବା ପରେ ଏଭଳି ଉଦ୍ୟମ କରିଥିବା ଅଭିଯୋଗ ଅାଣିଛନ୍ତି  ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଅାଜାଦ୍। ତେବେ ବିଜେପି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି।

ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ପିଡିପି, କଂଗ୍ରେସ ଓ ନ୍ୟାସନାଲ କନ୍‌ଫରେନ୍ସର ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏହା ତାଙ୍କର ନିଜସ୍ୱ ନିଷ୍ପତ୍ତି ବୋଲି କହିଛନ୍ତି। ବିଧାନସଭା ଭଙ୍ଗ ଲାଗି ପିଡିପି ଓ ନ୍ୟାସନାଲ କନ୍‌ଫରେନ୍ସ ବାରମ୍ବାର ଦାବି କରିଅାସୁଥିଲେ। ତେବେ ଗୃହ ଭାଙ୍ଗିବା ଲାଗି ପର୍ଯ୍ୟାପ୍ତ କାରଣ ନଥିଲା; ମାତ୍ର ଯେତେବେଳେ ତିନି ଦଳ ଅସାଧୁ ମେଣ୍ଟ କରି ସରକାର ଗଠନ ଲାଗି ଉଦ୍ୟମ କଲେ ତାଙ୍କ ପାଖରେ ବିକଳ୍ପ ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେପଟେ ପାକିସ୍ତାନ ନିର୍ଦ୍ଦେଶରେ ପିଡିପି ଓ ନ୍ୟାସନାଲ କନ୍‌ଫରେନ୍ସ ହାତ ମିଳାଇଥିବା ନେଇ ବିଜେପି ନେତା ରାମମାଧମ ଅଭିଯୋଗ ଅାଣିବା ପରେ ବିବାଦ ଜୋର ଧରିଛି। ଅଭିଯୋଗ ପ୍ରମାଣ ଲାଗି ତାଙ୍କୁ ଚ୍ୟାଲେଞ୍ଚ ଦେଇଥିଲେ ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦ୍ଦୁଲା।

ଏହା ପରେ ରାମମାଧବ ନିଜ ମନ୍ତବ୍ୟ ଫେରାଇ ନେଇଥିଲେ ମଧ୍ୟ ଯଦି ଦୁଇ ଦଳ ମଧ୍ୟରେ ସହମତି ଅଛି, ତେବେ ଅାଗାମୀ ନିର୍ବାଚନରେ ମେଣ୍ଟ କରି ଦେଖାନ୍ତୁ ବୋଲି ପାଲଟା ଚ୍ୟାଲେଞ୍ଜ ଦେଇଛନ୍ତି।

ସେପଟେ ଅାଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଜମ୍ମୁ ଓ କାଶ୍ମୀରର ସ୍ଥିତି ନେଇ ଅାଲୋଚନା କରାଯାଇଛି। ତେବେ କଣ ନିଷ୍ପତ୍ତି ନିଅାଯାଇଛି ତାହା ସରକାର ସ୍ପଷ୍ଟ କରିନାହାନ୍ତି।

You might also like