ପୁଲିସର ସନ୍ଦେହଘେରରେ ଥିଲେ ଦବିନ୍ଦର, ଫୋନ ବି ଟ୍ରାକ ହେଉଥିଲା

ନୂଆଦିଲ୍ଲୀ: ଆତାଙ୍କବାଦୀଙ୍କୁ ସହାୟତା ଦେଉଥିବା ଅଭିଯୋଗରେ ଗିରଫ ବହିଷ୍କୃତ ଡିଏସ୍‌ପି ଦବିନ୍ଦର ସିଂହଙ୍କ ବିରୋଧରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ଦବିନ୍ଦରଙ୍କ କାର୍ଯ୍ୟକଳାପରେ ଜମ୍ମୁକାଶ୍ମୀର ପୁଲିସର ସନ୍ଦେହ ହୋଇଥିଲା। ତେଣୁ ଦବିନ୍ଦରଙ୍କ ଫୋନକୁ ପୁଲିସ ଟ୍ରାକ୍ କରୁଥିଲା। ପୁଲିସର କହିବା ଅନୁଯାୟୀ, ଦବିନ୍ଦର କିଛି ସପ୍ତାହ ତଳୁ  ଆତଙ୍କବାଦୀଙ୍କ ସହ ସମ୍ପର୍କରେ ଥିଲେ। ନିଜ ନାମ ପ୍ରକାଶ ନ କରିବା ପାଇଁ କହି ଜଣେ ପୁଲିସ ଅଧିକାରୀ କହିଛନ୍ତି, ସେମାନଙ୍କର ବିଶ୍ୱାସ ଥିଲା ଯେ, ଦବିନ୍ଦର ଭୁଲ ରାସ୍ତାରେ ଯାଉଛନ୍ତି। ପରେ ତାଙ୍କର ଘର ରେଡ କରାଯିବା ପରେ ସନ୍ଦେହ ସତ ପ୍ରମାଣିତ ହୋଇଥିଲା। 

ଅଧିକାରୀଙ୍କ କହିବା ଅନୁଯାୟୀ, ଇନ୍ଦିରା ନଗର ନିକଟ ଇନ୍‌କ୍ଲେବରେ ଥିବା ତାଙ୍କ ଘର ଉପରେ ଚଢଉ କରାଯାଇଥିଲା। ଚଢାଉ ବେଳେ ତାଙ୍କ ଘରୁ ୫ଟି ଗ୍ରେନେଡ୍‌, ତିନୋଟି ଏକେ-୪୭ ରାଇଫଲ ଜବତ ହୋଇଥିଲା। ଏଥିସହିତ ଅନେକ ଆୟ ବହିର୍ଭୂତ ସମ୍ପତ୍ତି ମଧ୍ୟ ଜବତ କରାଯାଇଥିଲା।

ଧରା ପଡ଼ିବା ପରେ ଦବିନ୍ଦର ନିଜ ଭୁଲ୍‌କୁ ବୁଝି ପାରିଛନ୍ତି।  ତେବେ ସେ ଜେରା ବେଳେ ଆହୁରି ଭୟଙ୍କର ତଥ୍ୟ ଦେଇଛନ୍ତ। ତାଙ୍କ କହିବା ଅନୁଯାୟୀ ଅନ୍ୟ ଜଣେ ବରିଷ୍ଠ ଅଫିସର ମଧ୍ୟ ଆତଙ୍କୀ ସହ ସମ୍ପର୍କରେ ଅଛନ୍ତି। ତେବେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ଦବିନ୍ଦର ଆତଙ୍କବାଦୀଙ୍କ ସହ ଦିଲ୍ଲୀ ଯାଉଥିଲେ ତେବେ ମାମଲା ନିଶ୍ଚିତ ଭାବେ ଗମ୍ଭୀର । ଯଦି ତାହା ନ ହୋଇଥାନ୍ତା ସେ କାହିଁକି ଆତଙ୍କୀ ସହ ଯାଇଥାନ୍ତେ ?

ଖାଲି ଆତଙ୍କୀଙ୍କ ସହ ନୁହେଁ, ଡ୍ରଗ ମାଫିଆଙ୍କ ସହ ମଧ୍ୟ ଦବିନ୍ଦରଙ୍କର ସମ୍ପର୍କ ଥିଲା। ଦବିନ୍ଦର ପୁଲୱାମାର ତ୍ରାଲ ଇଲାକାର ବାସିନ୍ଦା। ଏହି ଇଲାକା ହିଜ୍‌ବୁଲ୍‌ ଆତଙ୍କଙ୍କ ଗଡ଼ ବୋଲି କୁହାଯାଏ। ଆତଙ୍କୀ ବୁରହାନ ଭାନି ଏବଂ ଜାକିର ମୁସା ଏହି ଇଲାକାରେ ରହୁଥିବା କୁହାଯାଏ।

ଏସବୁ ପରେ ଗୋଟିଏ କଥା ପୁଲିସ ବିଭାଗକୁ ଆଶ୍ଚର୍ଯ୍ୟ କରୁଛି। ଦବିନ୍ଦର ପ୍ରଥମରୁ ଥିଲେ ଜଣେ ବାହାଦୂର ଯବାନ। ସେନାର ଅନେକ ଲୋକ ତାଙ୍କୁ ଜଣେ ବାହାଦୂର ଯୁବ ଅଧିକାରୀଭାବେ ସମ୍ମାନ ଦିଅନ୍ତି। ଦୁଃସାଧ୍ୟ କାମକୁ ଚ୍ୟାଲେଞ୍ଜ କରିବା ପାଇଁ ସେ କେବେହେଲେ ପଛାଉ ନ ଥିଲେ। ସେଥିପାଇଁ ତାଙ୍କୁ ୧୯୯୦ରେ ପୁଲିସ ସ୍ପେଶାଲ ଗ୍ରୁପ୍‌(ଏସ୍‌ଓଜି)ରେ ସାମିଲ କରି ଦିଆ ଯାଇଥିଲା। ତେବେ ସେ ଖୁବ୍‌ ନିର୍ମମ ଏବଂ ବିବାଦୀୟ ମଧ୍ୟ ଥିଲେ। ତେବେ ଏସ୍‌ଓଜିରେ ଗୋଟିଏ ଦଶନ୍ଧି ଧରି କାମ କରିବା ପରେ ସେ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ। ତେବେ ସେ ଯେତେ ଶୀଘ୍ର ଉପରକୁ ଗଲେ ସେତିକି ଶୀଘ୍ର ବିବାଦରେ ଫସି ଗଲେ।

 

You might also like