ଶ୍ରୀନଗର ନିକଟ ମୁଜଗୁଣ୍ଡରେ ଏନ୍‌କାଉଣ୍ଟର୍

ଶ୍ରୀନଗର: ଅପରେସନ୍ ଅଲ୍‌ଆଉଟ୍‌କୁ  ଆଉ ଏକ ସଫଳତା ମିଳିଛି। ଏହି ଅପରେସନ୍‌ ଉପତ୍ୟକାରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ସେନା ଜାମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗର ନିକଟବର୍ତ୍ତୀ ମୁଜଗୁଣ୍ଡରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଯବାନ ଏନ୍‌କାଉଣ୍ଟର୍ କରିଛନ୍ତି।

ଗତକିଛି ଦିନ ଧରି ଶ୍ରୀନଗରରୁ ବାନ୍ଦିପୁରା ମଧ୍ୟରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ସେନାକୁ ଖବର ମିଳିଥିଲା। ଯାହାକୁ ନେଇ ହୁସିଆର୍ ହୋଇଥିଲେ ସୁରକ୍ଷାବାହିନୀ। ଗତକାଲିଠୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ତେବେ ମୁଜଗୁଣ୍ଡରେ ସେନା ଉପରକୁ ହଠାତ୍ ଆକ୍ରମଣ ହୋଇଥିଲା। ଯବାନ ଯାହାର କଡ଼ା ଜବାବ ଦେଇଛନ୍ତି।

୧୭ ଘଣ୍ଟା ଧରି ଚାଲିଥିବା ଏହି ପୁରା ଅପରେସନ୍ ଆତଙ୍କବାଦୀ ସ୍ଥାନୀୟଲୋକଙ୍କ ଆଢ଼ୁଆଳରେ ରହି ସେନା ଉପରକୁ ଗୁଳିମାଡ଼ କରିଥିଲେ। ତେବେ ପୁରା ଅଞ୍ଚଳକୁ ଘେରି ଯାଇ ଆତଙ୍କବାଦୀଙ୍କୁ ନିପାତ କରିବାରେ ସକ୍ଷମ ହୋଇଛନ୍ତି ଯବାନ। ଘଟଣାସ୍ଥଳରୁ ବହୁ ପରିମାଣରେ ଗୋଳାବାରୁଦ ସମେତ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

କିନ୍ତୁ ପୂର୍ବ ଭଳି ସ୍ଥାନୀୟ ଅଞ୍ଚଳରେ ସେନାକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏନ୍‌କାଉଣ୍ଟର ପରେ ଲୋକେ ଯବାନଙ୍କ ଉପରେ ପ୍ରବଳ ପଥର ମାଡ଼ କରିଛନ୍ତି। ପରିସ୍ଥିତିକୁ ନଜରରେ ରଖି ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି।

ଆତଙ୍କବାଦୀ ବୁରହାନ୍ ୱାନୀର ମୃତ୍ୟୁ ପରେ କାଶ୍ମୀରରେ ଆତଙ୍କୀ ଗତିବିଧିରେ ଅଙ୍କୁଶ ଲାଗିଛି।  ଚଳିତ ବର୍ଷ ଏବେ ଯାଏ ଶହେରୁ ଅଧିକ ଆତଙ୍କବାଦୀଙ୍କୁ ସେନା ଏନ୍‌କାଉଣ୍ଟର କରିଛି।

You might also like