କରୋନାରେ ଜୀବନ ହାରିଲେ ଜାମିଆ ମିଲିଆ ଇସଲାମିଆର ସହକାରୀ ପ୍ରଫେସର

ପୂର୍ବରୁ ଟ୍ୱିଟ୍ କରିଥିଲେ ଦିଲ୍ଲୀରେ କେହି ବଞ୍ଚିପାରିବେ ନାହିଁ

ନୂଆଦିଲ୍ଲୀ : ‘ରାଜଧାନୀ ଦିଲ୍ଲୀରେ କେହି ବଞ୍ଚିପାରିବେ ନାହିଁ’ । ମହାମାରୀର ଭୟାବହତା ସମ୍ପର୍କରେ ଜାଣି କିଛି ଦିନ ପୂର୍ବରୁ ଏପରି ଟ୍ୱିଟ କରିଥିଲେ ଜାମିଆ ମିଲିଆ ଇସଲାମିଆର ସହକାରୀ ପ୍ରଫେସର । ଆଉ ଟ୍ୱିଟ୍ କରିବାର କିଛି ଦିନ ପରେ ନାବିଲା ସାଦିକ କରୋନାରେ ଜୀବନ ହାରିଛନ୍ତି । ଫରିଦାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମେ ୧୭ରେ ତାଙ୍କର ମୃତ୍ୟୁ ହୋଇଛି । ମେ ୪ରେ ଟ୍ୱିଟରରେ ନିଜ ପାଇଁ ଏକ ଆଇସିୟୁ ବେଡ ଯୋଗାଡ କରିବାକୁ ସହାୟତା ଲୋଡ଼ିଥିଲେ । ଏହାପୂର୍ବରୁ ତାଙ୍କ ମା’ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।

୩୮ ବର୍ଷୀୟ ନବିଲା କିଛି ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ । ମେ ୪ରେ ଆଇସିୟୁ ବେଡ ଯୋଗାଣ କରିବାକୁ ଗୁହାରୀ କରିଥିଲେ । ସେହିପରି ମେ ୨ ତାରିଖରେ କହିଥିଲେ, ରାଜଧାନୀ ଦିଲ୍ଲୀର ଏପରି ମାହୋଲରେ କେହି ବଞ୍ଚିପାରିବେ ନାହିଁ । ଡକ୍ଟର ନାବିଲା ସାଦିକଙ୍କ ବ୍ୟତୀତ ତାଙ୍କ ବାପାମା’ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ନାବିଲାଙ୍କ ମୃତ୍ୟୁର ଦଶ ଦିନ ପୂର୍ବରୁ ତାଙ୍କ ମାଙ୍କର ମୃତ୍ୟୁ ହୋଇଛି । ସେ ତାଙ୍କ ମା’ଙ୍କ ଦେହାନ୍ତ ବିଷୟରେ ଜାଣି ନଥିଲେ । ତାଙ୍କ ପିତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସୁସ୍ଥ ହେବା ପରେ ସେ ବର୍ତ୍ତମାନ ହୋମ କ୍ୱାରେଣ୍ଟିନରେ ଅଛନ୍ତି ।

ନାବିଲାଙ୍କ ଆକସ୍ମିକ ମୃତ୍ୟୁଙ୍କୁ ତାଙ୍କ ସାଙ୍ଗସାଥୀ ଓ ଛାତ୍ରଛାତ୍ରୀ ଗ୍ରହଣ କରିପାରୁନାହାନ୍ତି । ଜାମିଆର ଜଣେ ଛାତ୍ର ୱାକର କହିଛନ୍ତି, ଚିକିତ୍ସା ସମୟରେ ତାଙ୍କର ଅମ୍ଳଜାନ ସ୍ତର ୩୨% କୁ ଖସି ଯାଇଥିଲା । ସଂକ୍ରମଣ ଯୋଗୁଁ ଫୁସଫୁସ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କଥା କହିଥିଲେ ଡାକ୍ତର । ଅବସ୍ଥା ଗୁରୁତର ହେବାରୁ ମେ ୧୫ରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ଏବଂମେ ୧୭ରେ ସେ ସବୁଦିନ ପାଇଁ ଆଖି ବୁଜିଦେଲେ । ସେହିପରି ଆଉ ଜଣେ ଛାତ୍ର କହିଛନ୍ତି, ମହାମାରୀ ସଙ୍କଟ ମଧ୍ୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ ନାବିଲା ।

You might also like