NSA ଅଜିତ ଡୋଭାଲଙ୍କୁ ଆକ୍ରମଣ ଯୋଜନା: ସତ ଉଗାଳିଲା ଜୈଶ୍ ଆତଙ୍କୀ, ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ପୁଣି ପାକିସ୍ତାନୀ ଷଡ଼ଯନ୍ତ୍ରର ବଡ଼ ଖୁଲାସା। NSA ଅଜିତ ଡୋଭାଲଙ୍କ ଅଫିସ ଉପରେ ଆତଙ୍କବାଦୀଙ୍କ ନଜର। ଜୈଶ ଆତଙ୍କବାଦୀ ହିଦାୟତ-ଉଲ୍ଲାହ ମଲିକ ନିକଟରୁ ଡୋଭାଲଙ୍କ କାର୍ଯ୍ୟାଳୟର କିଛି ଭିଡିଓ ମିଳିଛି। ଫେବୃଆରୀ୬ ରେ କାଶ୍ମୀରର ଶୋପିଆନ୍ ନିବାସୀ ହିଦୟତ-ଉଲ୍ଲା ମଲିକଙ୍କୁ  ଗିରଫ କରିଛି ଭାରତୀୟ ସେନା। ଗିରଫ ପରେ  ପଚରାଉଚରା କରି ତା’ଠାରୁ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ସେ ପାକିସ୍ତାନକୁ ଭାରତରୁ ଭିଡ଼ିଓ କରି ପଠାଉଥିବା କଥା ଜଣାପଡ଼ିଛି। ତେବେ ଏକଥା ଜଣାପଡ଼ିବା ପରେ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ବର୍ତ୍ତମାନ ହସ୍ତଗତ ହୋଇଥିବା ଭିଡ଼ିଓ ଗତବର୍ଷର ବୋଲି ଜଣାପଡ଼ିଛି। ଡୋଭାଲଙ୍କ ଅଫିସ, ଶ୍ରୀନଗର ଗସ୍ତ ସହ ଅନ୍ୟ ଅଞ୍ଚଳର ଭିଡିଓ ରେକର୍ଡ କରିଥିଲା  ହିଦୟତ-ଉଲ୍ଲା ଏବଂ ସେସବୁକୁ ଏହାକୁ ସେ ପାକିସ୍ତାନ ପଠାଉଥିଲା। ହିଦାୟତ-ଉଲ୍ଲା ଜୈଶର ଲଶ୍କର-ଏ-ମୁସ୍ତାଫାର ମୁଖ୍ୟ ଅଟେ। ତା ନିକଟରୁ ଅନେକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ତେବେ ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଅଜିତ ଡୋଭାଲ ଭାରତର ଅନ୍ୟତମ ଶକ୍ତିଶାଳୀ ବ୍ୟକ୍ତି। ୨୦୧୬ର  ଉରି ସର୍ଜିକାଲ ଷ୍ଟ୍ରାଇକ୍ ଠାରୁ ଆରମ୍ଭ କରି ୨୦୧୯ ବାଲାକୋଟ ଆକ୍ରମଣର ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଡୋଭାଲ।  ସେବେଠାରୁ ଆତଙ୍କର ଗୋଷ୍ଠୀର ଟାର୍ଗେଟରେ ଅଜିତ ଡୋଭାଲ ରହିଆସିଛନ୍ତି।  ଡୋଭାଲଙ୍କୁ ରାସ୍ତାରେ ହଟାଇଦେବାକୁ ଷଡ଼ଯନ୍ତ୍ର ଚଳାଇଛି ପାକିସ୍ତାନ।

ଗୁଇନ୍ଦା ରିପୋର୍ଟ ଅନୁସାରେ, ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ କାଶ୍ମୀରରେ ପୁଣି ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ଏନେଇ ଗୃହ ମନ୍ତ୍ରାଳୟକୁ ମଧ୍ୟ ସୂଚନା ଦିଆଯାଇଛି। ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଜମାତ-ଏ-ଇସଲାମୀ, ଲସ୍କର-ଇ-ତୋଇବା, ହିଜବୁଲ ମୁଜାହୁଦ୍ଦିନ ଆଦି ସଂଗଠନର ସଦସ୍ୟଙ୍କୁ ତାଲିମ ଯୋଗାଯାଉଛି। ଏଥିରେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ସହଯୋଗ କରୁଛି।

 

 

You might also like