ପୁଲ୍‌ୱାମା ପରେ ପୁଣି ଏକ ବଡ଼ ଆକ୍ରମଣ ପାଇଁ ଯୋଜନା କରୁଛି ଜୈଶ!

ନୂଆଦିଲ୍ଲୀ: ପୁଲ୍‌ୱାମାରେ ଆତ୍ମଘାତୀ ବିସ୍ଫୋରଣରେ ସଫଳ ହେବାପରେ ପୁଣିଥରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଯୋଜନା କରୁଛି।

ଗତ ୧୪ ତାରିଖରେ ପୁଲ୍‌ଓ୍ୱାମାରେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣଠୁ  ଆହୁରି ବଡ଼ ଧରଣର ଆକ୍ରମଣ ପାଇଁ ଏହି ଆତଙ୍କବାଦୀ ସଂଗଠନ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ସେନା ଓ ପୁଲିସ୍‌ ସତର୍କ ହୋଇଛି।

ଏଥର ପ୍ରାୟ ୫ ଶହ କିଲୋଗ୍ରାମ ବିସ୍ଫୋରକ ସହ ଆକ୍ରମଣ କରିବା ପାଇଁ ଯୋଜନା ଚାଲିଛି। ତେବେ ଆକ୍ରମଣ ଜମ୍ମୁ କିମ୍ବା ଜମ୍ମୁ ଓ କଶ୍ମୀର ବାହାରେ ହୋଇପାରେ ବୋଲି ଗୁଇନ୍ଦା ସୂଚନା ମିଳିଛି।

ଗତ ୧୬ ଓ ୧୭ ତାରିଖରେ କଶ୍ମୀରରେ ଥିବା ଜୈଶ-ଏ-ମହମ୍ମଦ ସଦସ୍ୟ ଓ ପାକିସ୍ତାନରେ ରହୁଥିବା ସେମାନଙ୍କ ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପରୁ ଏହି ସୂଚନା ମିଳିଛି।

ଭାରତରେ ୩ଟି ଶକ୍ତିଶାଳୀ ଆକ୍ରମଣ କରିବା ଲାଗି ଗତ ଡିସେମ୍ବରରେ ୨୧ ଜଣ ଜୈଶ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି। ଯେଉଁଥିରେ ଆତ୍ମଘାତୀ ଆକ୍ରମଣକାରୀ ମଧ୍ୟ ଅଛନ୍ତି।

ଗତ ଫେବୃଆରୀ ୧୪ ତାରିଖରେ ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣରେ ସିଆପିଏଫ୍‌ର ୪୦ଜଣ ଯବାନ ସହିଦ ହୋଇଥିଲେ।

You might also like