ରାଜସ୍ଥାନରେ ହସ୍ପିଟାଲରୁ ୩୨୦ ଡୋଜ୍ କରୋନା ଟିକା ଚୋରି ! ରାଜ୍ୟରେ ଆଲୋଡ଼ନ..

ରାଜସ୍ଥାନରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏମିତିକି ସଂକ୍ରମଣ ଯେତିକି ବଢ଼ୁଛି ମୃତ୍ୟୁ ହାର ମଧ୍ୟ ସେହି ଅନୁପାରେ ବଢ଼ିଚାଲିଛି। ତେବେ ପୁରା ରାଜ୍ୟରେ ଏଭଳି ପରିସ୍ଥିତି ରହିଥିବା ବେଳେ ଜୟପୁରରୁ ଆସିଲା ଏକ ନୂଆ ଅଭିଯୋଗ। ଏଠାରେ କରୋନା ଟିକା ଚୋରି ହୋଇଥିବା ନେଇ ଏକ ସାଂଘାତିକ ଅଭିଯୋଗ ଆସିଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଜୟପୁରର କାମବଟିଆ ଡାକ୍ତରଖାନା ଅଧୀକ୍ଷକ ହର୍ଷବର୍ଦ୍ଧନ ଶାସ୍ତ୍ରୀ ସ୍ଥାନୀୟ ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରିଛନ୍ତି।

କୁହାଯାଉଛି ଯେ ଜୟପୁର କାମବାଟିଆ ହସ୍ପିଟାଲରୁ ୩୨୦ ଡୋଜ୍ କରୋନା ଟିକା ଚୋରି ହୋଇଯାଇଛି। ଅଭିଯୋଗ ପରେ ପୋଲିସ ଆଇପିସିର ଧାରା ୩୮୦ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଏହାସହ ଘଟଣାରେ କେଉଁମାନେ ସମ୍ପୃକ୍ତ ସେନେଇ ତଦନ୍ତ ଆରମ୍ଭ କରିଛି। ଟିକା କିଏ ନେଲା ? କେଉଁମାନେ ଏଥିରେ ସମ୍ପୃକ୍ତ ? ସତରେ ଟିକା ଚୋରି ହୋଇଛି ନା ନାହିଁ ? ଏଭଳି ବିଭିନ୍ନ ଦିଗ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏପ୍ରିଲ୍ ୧୨ରେ ଏହି କରୋନା ଟିକା, ହସ୍ପିଟାଲକୁ ଆସିଥିଲା। ସେହି ଦିନ ସନ୍ଧ୍ୟାରେ ଷ୍ଟକ ଚେକ୍ କରାଯିବା ସମୟରେ ୩୨୦ ଡୋଜ କମ୍ ଥିବା ଜଣାପଡ଼ିଥିଲା। ୨ ଦିନ ପର୍ଯ୍ୟନ୍ତ ହସ୍ପିଟାଲ କମିଟି ଏହି ଘଟଣାର ତଦନ୍ତ କରିଥିଲା ​​ଏବଂ ପରେ ବୁଧବାର ଦିନ ଡାକ୍ତରଖାନା ର୍କତ୍ତୃପକ୍ଷ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ ଦାଖଲ କରିଥିଲେ।

ଅନ୍ୟପଟେ କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଗୋଟିଏ ଦିନରେ ରାଜସ୍ଥାନରେ କରୋନା ଜନିତ ମୃତ୍ୟୂ ସଂଖ୍ୟା ୨୮ରେ ପହଞ୍ଚିଛି। ଏଥିସହିତ ଏହା ପରଦିନ ମଧ୍ୟ ରାଜ୍ୟରେ ସାଢ଼େ ପାଞ୍ଚ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ୫୫୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ କେବଳ ଜୟପୁରରୁ ୯୮୯ଟି ନୂଆ ମାମଲା ସାମ୍ନାକୁ ଆସିଛି।

ତେବେ ଏହାର କିଛି ଦିନ ର୍ପୂବରୁ ରାଜସ୍ଥାନର ଅନେକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ କରୋନା ଟିକା ଶେଷ ହୋଇସାରିଛି ବୋଲି ଖବର ସାମ୍ନାକୁ ‍ଆସିଥିଲା । ଗେହଲଟ୍ ସରକାର ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚାପ ପକାଉଥିବା ସହ ରାଜ୍ୟରେ ଟିକା କମ୍ ଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଅଭିଯୋଗ କରିଥିଲେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ରବିବାର ସକାଳୁ ଜୟପୁରର ଏକ ଘରୋଇ ହସ୍ପିଟାଲରେ ଭ୍ୟାକ୍ସିନ ଶେଷ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଯାହାଫଳରେ କରୋନା ଟିକା ନେବା ପାଇଁ ଆସିଥିବା ଅନେକ ଲୋକ ମେଡିକାଲରୁ ନିରାଶ ହୋଇ ଫେରିଥିଲେ। ସେମାନଙ୍କୁ ମେଡିକାଲ ତରଫରୁ ଟିକା ଶେଷ ହୋଇଯାଇଥିବା କୁହାଯାଇଥିଲା। ଜୟପୁରରେ ସବୁଠାରୁ ଅଧିକ ସଂକ୍ରମିତ ଅଞ୍ଚଳ ହେଲା ବୈଶାଳୀ ନଗର। ଏଠାରେ ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ଟିକାକରଣ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା। ଟିକା ଉପଲବ୍ଧ ନଥିବାରୁ ଲୋକ ମେଡିକାଲକୁ ଆସି ନିରାଶ ହୋଇ ଘରକୁ ଫେରିଥିଲେ।

You might also like