ଦୀର୍ଘ ତିନି ମାସ ପରେ ଅଚାନକ ସର୍ବସମ୍ମୁଖକୁ ଆସିଲେ ଜ୍ୟାକ ମା, ଅକ୍ଟୋବରରୁ ନିଖୋଜ ଥିଲେ ‘ଆଲିବାବା’ର ପ୍ରତିଷ୍ଠାତା
ଚୀନ୍ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସର୍ବସମ୍ମୁଖକୁ ଆସିଲେ ‘ଆଲିବାବା’ର ପ୍ରତିଷ୍ଠାତା ଜ୍ୟାକ୍ ମା।ବୁଧବାର ଦିନ ଜ୍ୟାକ୍ ମା ଏକ ଅନ୍ଲାଇନ୍ କନ୍ଫରେନ୍ସରେ ୧୦୦ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଭିଡିଓ ଜରିଆରେ ଏକ ବୈଠକ କରିଥିବା ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ଜଣାପଡ଼ିଛି । ଗ୍ରାମୀଣ ଶିକ୍ଷାର ସଫଳତା ରୂପାୟନ ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଚାରିଆଡ଼ୁ ଚାପ ବଢ଼ିବା ପରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଜ୍ୟାକ୍ ମାଙ୍କର ଏହି ଭିଡିଓ ପ୍ରକାଶ କରିଛି ।
ଜ୍ୟାକ୍ ମା ବୁଧବାର ଭିଡିଓ ଲିଙ୍କ୍ ମାଧ୍ୟମରେ ଚାଇନାର ୧୦୦ ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜ୍ୟାକ୍ ମା ଶିକ୍ଷକମାନଙ୍କୁ କହିଛନ୍ତି, ଯେତେବେଳେ କରୋନା ଭାଇରସ୍ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯିବ, ସେତେବେଳେ ସାକ୍ଷାତ ହେବ । ଗ୍ଲୋବାଲ୍ ଟାଇମ୍ସ ଜ୍ୟାକ୍ ମାଙ୍କୁ ଜଣେ ଇଂରାଜୀ ଶିକ୍ଷକରୁ ଉଦ୍ୟୋଗୀ ହୋଇଥିବା କଥା ବର୍ଣ୍ଣନା କରିଛି । ଆଲିବାବାର ପ୍ରତିଷ୍ଠାତା ଭାବେ ଜ୍ୟାକ୍ ମାଙ୍କ ପରିଚୟ ଦିଆଯାଇ ନାହିଁ ।
#Alibaba founder Jack Ma Yun @JackMa, the English teacher turned entrepreneur, met with 100 rural teachers from across the country via video link on Wednesday. “We’ll meet again after the [COVID-19] epidemic is over,” he said to them: report pic.twitter.com/oj2JQqZGnI
— Global Times (@globaltimesnews) January 20, 2021
କୋଟି କୋଟି ଲୋକଙ୍କ ପ୍ରେରଣାର ଉତ୍ସ ଜ୍ୟାକ ମା ଭଲ ବକ୍ତା ଭାବରେ ବେଶ ପରିଚିତ । ତେଣୁ ସ୍ଥାନୀୟ ଅଞ୍ଚଳରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଉଦବୋଧନ ମଧ୍ୟ ଦିଅନ୍ତି । ତାଙ୍କର ପ୍ରେରଣାଦାୟୀ ଭାଷଣ ଓ ଜୀବନକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର ବକ୍ତବ୍ୟ ପାଇଁ ସେ ଚୀନର ଯୁବଗୋଷ୍ଠୀଙ୍କ ପାଖରେ ବେଶ ପ୍ରିୟ । ତେବେ ଦୀର୍ଘ ଦିନି ମାସ ଧରି ଜ୍ୟାକ୍ ମା ସର୍ବସାଧାରଣରେ ଦେଖାଯାଉ ନ ଥିଲେ । ଶହେ କି ଦୁଇ ଶହ ନୁହେଁ ବରଂ ହଜାର ହଜାର କୋଟି ଟଙ୍କାର କାରବାର କରୁଥିବା ଏଇ ବ୍ୟବସାୟୀ ଜଣକ ହଠାତ୍ କେଉଁ ଆଡେ ନିଖୋଜ ହୋଇଥିବା ଘଟଣାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା ।
ନିରୁଦ୍ଦିଷ୍ଟ ହେବା ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଜ୍ୟାକ୍ ଚୀନ୍ ରାଷ୍ଟ୍ରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଆଉ ଏଥିପାଇଁ ଚୀନ ସରକାରଙ୍କ ଟାର୍ଗେଟରେ ରହିଥିଲେ ଜ୍ୟାକ୍। ତେବେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା ।ତାଙ୍କ ପ୍ରସାରିତ ବ୍ୟବସାୟ ସାମ୍ରାଜ୍ୟ ଉପରେ ଚୀନ୍ ସରକାର କଟକଣା ଜାରି କରିଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। ଆଉ ଏଥିପାଇଁ ଜ୍ୟାକମାଙ୍କ ନିଖୋଜ ପଛରେ ଚୀନ୍ ସରକାର ହାତ ଥିବା ସନ୍ଦେହ କରାଯାଉଥିଲା । ତେବେ ସବୁ ସନ୍ଦେହର ଅବସାନ କରି ଏବେ ପୁଣି ସର୍ବସମ୍ମୁଖରେ ନଜର ଆସିଛନ୍ତି ଜ୍ୟାକ୍ ମା ।