ଟ୍ରମ୍ପଙ୍କ ଝିଅଙ୍କ ମୁହଁରେ ଭାରତର ‘ସାଇକେଲ୍‌ ଗର୍ଲ’ଙ୍କ ପ୍ରଶଂସା

ପାଟନା: ଲକ୍‌ଡାଉନ୍‌ ବେଳେ ଅସୁସ୍ଥ ବାପାଙ୍କୁ ଦୀର୍ଘ ୧୨ଶହ କିଲୋମିଟର ସାଇକେଲରେ ବସାଇ ନିଜ ଘରକୁ ଆଣିଥିବା ଜଣେ ୧୫ ବର୍ଷୀୟା ଝିଅର ସାହସକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୧୫ ବର୍ଷୀୟା ଜ୍ୟୋତି କୁମାରୀ ତାଙ୍କ ଅସୁସ୍ଥ ବାପାଙ୍କୁ ସାଇକେଲ୍‌ରେ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ଆଣିଥିଲେ। ଜ୍ୟୋତିଙ୍କ ଏପରି ସାହସିକ ପଦକ୍ଷେପ ପାଇଁ ସାଇକ୍ଲିଂ ଫେଡେରେସନ ପକ୍ଷରୁ ତାଙ୍କୁ ଡାକରା ମିଳିଛି।

ଅଷ୍ଟମ ଶ୍ରେଣୀରେ ପଢୁଥିବା ଜ୍ୟୋତିଙ୍କୁ ତାଙ୍କ ସାଇକ୍ଲିଂ ଦକ୍ଷତା ସମ୍ପର୍କରେ ଟ୍ରାଏଲ ଦେବାକୁ କୁହାଯାଇଛି। ଯଦି ସେ ଟ୍ରାଏଲରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ନୂଆଦିଲ୍ଲୀରେ ଥିବା ଜାତୀୟ ସାଇକ୍ଲିଂ ଏକାଡେମୀରେ ସେ ତାଲିମ ନେବେ। ଜ୍ୟୋତିଙ୍କ ଦିଲ୍ଲୀ ଗସ୍ତ ନେଇ ସମସ୍ତ ଖର୍ଚ୍ଚ ସାଇକ୍ଲିଂ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଦିଆଯିବ। ସାଇକ୍ଲିଂ ଫେଡେରେସନ ପକ୍ଷରୁ ଏଭଳି ପ୍ରସ୍ତାବ ପରେ ଜ୍ୟୋତି ବେଶ୍‌ ଖୁସି ଅଛନ୍ତି। ଲକ୍‌ଡାଉନ୍‌ ହଟିବା ପରେ ସେ ଦିଳ୍ଲୀ ଯିବେ ବୋଲି ସୂଚନା ମିଳିଛି।

ଖାଲି ସାଇକ୍ଲିଂ ଫେଡେରେସନ ନୁହେଁ ଜ୍ୟୋତିଙ୍କ ଏଭଳି ସାହସିକ ପଦକ୍ଷେପ ପାଇଁ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ହ୍ୱାଇଟ୍‌ ହାଉସର ବରିଷ୍ଠ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ ପ୍ରଶଂସା କରିଛନ୍ତି।

ଜ୍ୟୋତିଙ୍କ ବାପା ମୋହନ ପାଶୱନ୍‌ ଜଣେ ଅଟୋ ଡ୍ରାଇଭର। ସେ ଗୁରୁଗ୍ରାମରେ ରହି ଅଟୋ ଚଲାଉଥିଲେ। ତେବେ ଦୁର୍ଘଟଣାର ଶିକାର ହୋଇ ସେ ଆହତ ହୋଇଥିଲେ। ଗୋଟିଏପଟେ ଦୁର୍ଘଟଣାର ଶିକାର ଓ ଅନ୍ୟପଟେ ଲକ୍‌ଡାଉନ୍ ଯୋଗୁ ତାଙ୍କର ଆର୍ଥିକ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ଫଳରେ ଉପାୟଶୂନ୍ୟ ହୋଇ ମୋହନ ଓ ତାଙ୍କ ଝିଅ ଜ୍ୟୋତି ଗାଁକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପାଖରେ ଯାହାବି କିଛି ଟଙ୍କା ଥିଲା ତାକୁ ନେଇ ସେମାନେଏକ ସାଇକେଲ୍‌ କିଣିଥିଲେ।

ମେ’ ୧୦ରେ ଜ୍ୟୋତି ସାଇକେଲ୍‌ରେ ବାପାଙ୍କୁ ବସାଇ ଗୁରୁଗ୍ରାମରୁ ଯାତ୍ରା ଆରମ୍ଭ କରିଥିଲେ ଓ ମେ’୧୬ରେ ଗାଁରେ ପହଞ୍ଚିଥିଲେ। ୭ ଦିନ ଧରି ବାପାଙ୍କୁ ସାଇକେଲ୍‌ରେ ବସାଇ ଦୀର୍ଘ ୧୨ଶହ କିଲୋମିଟର ଯାତ୍ରା କରିଥିଲେ ଜ୍ୟୋତି। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

You might also like